କୋଇଲା ଟ୍ରକ୍‌ ଦଖଲରେ ବିଜୁ ଏକ୍ସପ୍ରେସ ୱେ

ସମ୍ବଲପୁର/ରେଙ୍ଗାଲି,୨୮ା୯(ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେ ମଙ୍ଗଳବାର ପ୍ରାୟ ୪ ଘଣ୍ଟା ଧରି ଜାମ ରହିଥିଲା। ତଲାବିରା କୋଇଲା ଖଣିରୁ ପରିବହନ ହେଉଥିବା କୋଇଲା ଟ୍ରକ୍‌ଗୁଡିକ ଖିଣ୍ଡା ଛକରୁ ଲପଙ୍ଗା ଛକ ପ୍ରାୟ ୨ କି.ମି. ରାସ୍ତାକୁ ନିଜ ଦଖଲରେ ରଖିଥିଲେ। ଫଳରେ ହଜାରେ ସଂଖ୍ୟାରେ ଅନ୍ୟ ଯାନବାହନ ଅଟକି ରହିଥିଲା। ଟ୍ରାଫିକ ସମସ୍ୟା ସମାଧାନ କରିବା ପାଇଁ ସ୍ଥାନୀୟ ପୋଲିସକୁ ନାକେଦମ ହେବାକୁ ପଡିଥିଲା। ୪୦ ଗୋଟି ଟ୍ରକ୍‌ରୁ ଜରିମାନା ମଧ୍ୟ ଆଦାୟ କରିଥିଲା ପୋଲିସ। ହେଲେ ସାଧାରଣ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜାମ୍‌ରେ ଫସିଥିବା ଯାତ୍ରୀମାନେ ଅଭିଯୋଗ କରିଥିଲେ, ଶିଳ୍ପାଞ୍ଚଳ ରେଙ୍ଗାଲିରେ ପ୍ରତିଦିନ ହଜାର ହଜାର ଟ୍ରକ୍‌ ଯିବାଆସିବା କରୁଛି। ଫଳରେ ନିୟମିତ ଭାବେ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏପରି କି କୋଇଲା ପରିବହନ ଟ୍ରକ୍‌ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଏନ୍‌ଏଲ୍‌ସି ପକ୍ଷରୁ ତଲାବିରା ୨ ଓ ୩ କୋଇଲା ଖଣି ଖନନ କାର୍ଯ୍ୟ କରାଯାଉଛି। ବିଭିନ୍ନ କମ୍ପାନୀ କୋଇଲା ଖଣିରୁ କୋଇଲା ନେଇ ଯାଉଛନ୍ତି। ହେଲେ ସେମାନେ କୌଣସି ସରକାରୀ ନିୟମ ପାଳନ କରୁନାହାନ୍ତି। ମନ ଇଚ୍ଛା ଟ୍ରକ୍‌ଗୁଡିକ ରାସ୍ତାପାର୍ଶ୍ୱରେ ଛିଡା କରିଦେଉଛନ୍ତି। କମ୍ପାନୀ ମୁଖ୍ୟ ଫାଟକ ଆଗରେ ମଧ୍ୟ ବହୁସଂଖ୍ୟକ ଟ୍ରକ୍‌ ରାସ୍ତାକୁ ଅକ୍ତିଆର କରି ରହୁଛନ୍ତି। କମ୍ପାନୀ ପକ୍ଷରୁ ଟ୍ରାଫିକ ସମସ୍ୟା ଓ ପାର୍କିଂକୁ ନେଇ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ଏ ସମ୍ପର୍କରେ ଠେଲକୋଲି ଥାନା ଅଧିକାରୀ ବି. ମିଶ୍ରଙ୍କୁ ପଚାରିବାରୁ ଟ୍ରାଫିକ ସମସ୍ୟା ରହିଥିଲା। ବହୁ କଷ୍ଟରେ ରାସ୍ତା ଖୋଲାଯାଇଥିଲା। ନିୟମ ଭଙ୍ଗ କରିଥିବା ପ୍ରାୟ ୪୦ ଟ୍ରକ୍‌କୁ ଜରିମାନା କରାଯାଇଛି ବୋଲି କହିଥିଲେ।