ପରଲୋକରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩।୧୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସତୀଶ ପ୍ରସାଦ ସିଂହଙ୍କ ନୂଆଦିଲ୍ଲୀରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଗତ କିଛି ଦିନ ତଳେ ସତୀଶ ପ୍ରସାଦ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ବିହାର ନିର୍ବାଚନ ଚାଲିଥିବା ବେଳେ ସତୀଶଙ୍କ ନିଧନ ଖବରକୁ ନେଇ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ନିଧନ ଖବରକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟୁଇଟ କରି ଶୋକବ୍ୟକ୍ତ କରିଛନ୍ତି। ସେହିପରି ଆରଏଲ୍‌ଏସ୍‌ପି ମୁଖ୍ୟ ଉପେନ୍ଦ୍ର କୁଶଓ୍ବା ମଧ୍ୟ ସତୀଶଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୧୯୩୬ ଜାନୁଆରୀ ୧ରେ ବିହାରର ଗୋଗରି ପ୍ରଖଣ୍ଡ ଅର୍ନ୍ତଗତ କୋରଚକା ଗାଁରେ ସତୀଶ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜୀବନକାଳରେ ସବୁଠାରୁ ରୋମାଞ୍ଚକର କଥା ହେଉଛି ୧୯୬୮ରେ ସେ ମାତ୍ର ୫ ଦିନ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିହାରରେ ସବୁଠାରୁ କମ୍‌ ଦିନିଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ନେତାଙ୍କ ମଧ୍ୟରେ ତାଙ୍କର ନାଁ ରହିଛି। ମୁଖ୍ୟମନ୍ତ୍ରୀ ହେବା ସମୟରେ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। ସେହିପରି ୧୯୮୦ରେ କଂଗ୍ରେସରୁ ଟିକେଟ ପାଇ ସତୀଶ ଖଗଡ଼ିଆରୁ ୭ଥର ପାଇଁ ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୯୦ରେ ସେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗ ଦେଇଥିଲେ।

 

Share