ବିହାର ନିର୍ବାଚନ ସ୍ଥଗିତ ରଖିବା ଆବେଦନ ଖାରଜ

ନୂଆଦିଲ୍ଲୀ, ୨୯।୮(ପି.ଟି.):କରୋନା ମହାମାରୀ ପାଇଁ ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନିର୍ବାଚନ ସ୍ଥଗିତ ରଖିବା ପାଇଁ କୋଭିଡ୍‌-୧୯ କାରଣ ହୋଇ ନ ପାରେ ବୋଲି ଖଣ୍ଡପୀଠ କହିଛନ୍ତି। ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇ ନ ଥିବାବେଳେ ଏଭଳି ପିଟିଶନ ଅପରିପକ୍ୱ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ନିର୍ବାଚନ ସମ୍ପର୍କିତ ସବୁ ନିଷ୍ପତ୍ତି ନିର୍ବାଚନ କମିଶନ (ଇସି) ନେବେ ବୋଲି ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଆର୍‌.ଏସ୍‌. ରେଡ୍ଡୀ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
ଅସାଧାରଣ ସ୍ଥିତିରେ ନିର୍ବାଚନ ସ୍ଥଗିତ ରଖିବା ବ୍ୟବସ୍ଥା ଜନପ୍ରତିନିଧି ଆଇନରେ ରହିଛି। କରୋନା ସଙ୍କଟ କାରଣରୁ ବିହାର ନିର୍ବାଚନ ସ୍ଥଗିତ ରଖିବା ଲାଗି ମୁଖ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଅବିନାଶ ଠାକୁର ଆବେଦନ କରିଥିଲେ। ନିର୍ବାଚନ ସ୍ଥଗିତ ରଖିବା ସମ୍ପର୍କରେ ଇସି ନିଷ୍ପତ୍ତି ନେବେ। ଏଥିପାଇଁ ଅଦାଲତ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ବିହାର ନିର୍ବାଚନ ଠିକ୍‌ ସମୟରେ ହେବା ନେଇ ପଥ ପରିଷ୍କାର ହୋଇଯାଇଛି।
ସୂଚନାଯୋଗ୍ୟ କରୋନା ଆଳରେ ନିର୍ବାଚନକୁ ସ୍ଥଗିତ ରଖିବା ଲାଗି ବିହାରର ବିରୋଧୀ ଦଳଗୁଡ଼ିକ ଦାବି କରିଆସୁଛନ୍ତି। ଏପରିକି ଏନ୍‌ଡିଏର ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଅଧ୍ୟକ୍ଷ ଚିରାଗ ପାଶ୍ୱାନ ମଧ୍ୟ ନିର୍ବାଚନ ଘୁଞ୍ଚାଯିବା ଚାହାନ୍ତି।

Share