Categories: ଜାତୀୟ

ବାଜିଲା ନିର୍ବାଚନ ବିଗୁଲ, ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ, ୨୫।୯: ବିହାର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଗୁଲ ବାଜିଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ବିହାରରେ ୩ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୮ରୁ ଆରମ୍ଭ ହେବ, ସେହିପରି ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟୟ ଯଥାକ୍ରମେ ନଭେମ୍ବର ୩ ଏବଂ ୭ରେ ହେବ। ପ୍ରଥମ ପର୍ଯ୍ୟାୟରେ ୭୧ ସିଟ୍‌, ଦ୍ୱିତୀୟ ପର୍ଯ୍ୟାୟରେ ୯୪ ସିଟ୍‌, ତୃତୀୟ ପର୍ଯ୍ୟାୟରେ ୭୮ ସିଟ୍‌ରେ ଭୋଟଗ୍ରହଣ ହେବ। ନଭେମ୍ବର ୧୦ ଫଳାଫଳ ଘୋଷଣା କରାଯିବ। କରୋନା ସମୟରେ ପ୍ରଥମ ବଡ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ବେଳେ ୭ ଲକ୍ଷ ସାନିଟାଇଜର୍‌, ୬ ଲକ୍ଷ ଫେଶ୍‌ ସିଲ୍ଡ, ୪୭ ଲକ୍ଷ ମାସ୍କ, ୬ ଲକ୍ଷ ପିପିଇ କିଟ୍‌ ବ୍ୟବହାର କରାଯିବ। ଗୋଟିଏ ବୁଥ୍‌ରେ କେବଳ ୧ ହଜାର ମତଦାତା ଭୋଟ ଦାନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି। ସେହିପରି ମତଦାନ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ଅଲଲାଇନ୍‌ରେ ପ୍ରାର୍ଥୀ ପତ୍ର ଦାଖଲ କରାଯାଇପାରିବ। ୫ରୁ ଅଧିକ ବ୍ୟକ୍ତି ଘର ଘର ବୁଲି ପ୍ରଚାର କରିପାରିବେ ନାହିଁ। ପ୍ରଚାର ବେଳେ ମାତ୍ର ୨ଟି ଗାଡି ବ୍ୟବହାର କରାଯାଇପାରିବ। ଭର୍ଚୁଆଲ ରାଲି ଉପରେ ଜୋର ଦିଆଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି। କରୋନା ଆକ୍ରାନ୍ତ ବ୍ୟକ୍ତି ଭୋଟ ଦେଇପାରିବେ। ଶେଷ ୧ ଘଣ୍ଟାରେ ସେମାନେ ଭୋଟ ଦେଇପାରିବେ ବୋଲି ସୁନୀଲ ଆରୋରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିହାରର ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୯ରେ ଶେଷ ହେବ। ଶେଷ ଥର ପାଇଁ ରାଜ୍ୟରେ ୫ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

 

Share