Categories: ଜାତୀୟ

୨୯ ଫୁଟ୍‌ ମୋବାଇଲ ଟାଓ୍ବାର ଚୋରି

ପାଟନା,୨୧।୧: ବିହାରର ପାଟନାରେ ଏକ ଡକାୟତ ଗ୍ୟାଙ୍ଗ୍‌ ନିଜକୁ ଟେଲିକମ୍‌ କମ୍ପାନୀର କର୍ମଚାରୀ ପରିଚୟ ଦେଇ ୨୯ ଫୁଟ୍‌ ଉଚ୍ଚତାର ଏକ ମୋବାଇଲ ଟାଓ୍ବାରକୁ ଚୋରିକରି ନେଇଯାଇଛି। ଚୋରି ସମ୍ପର୍କରେ କେହି କୌଣସି ଆଭାସ ପାଇ ନ ଥିଲେ। ୫ଜି ସେବା ଆରମ୍ଭ କରିବା ଲାଗି ଟେଲିକମ୍‌ କମ୍ପାନୀର ଟେକ୍‌ନିସିଆନମାନେ ସର୍ଭେ କରୁଥିବାବେଳେ ଏକ ମୋବାଇଲ ଟାଓ୍ବାର ଏବଂ ଏଥିରେ ଲାଗିଥିବା ଉପକରଣ ଗାଏବ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଟାଓ୍ବାରରେ ଲାଗିଥିବା ଟ୍ରାନ୍ସମିଶନ ସିଗ୍‌ନାଲ ଉପକରଣଗୁଡ଼ିକର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା। ଶାହିନ କାୟୁମ୍‌ ନାମକ ବ୍ୟକ୍ତିଙ୍କ ଚାରିମହଲା ବିଲ୍ଡଂ ଉପରେ ଏହି ଟାଓ୍ବାର ସ୍ଥାପନ କରାଯାଇଥିଲା। ଟାଓ୍ବାର କେବେ ଚୋରିହେଲା ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଗୁରୁବାର ଏହି ଖବର ଭାଇରାଲ ହୋଇଛି। ସେବା ପ୍ରଦାନକାରୀ କମ୍ପାନୀ ଗତବର୍ଷ ଅଗଷ୍ଟରେ ସର୍ଭେ କରିଥିବାବେଳେ ସବୁ ଠିକ୍‌ଠାକ୍‌ ଥିଲା। ଗତ ୧୬ ତାରଖରେ ଜିଟିଏଲ୍‌ କମ୍ପାନୀର ଏରିଆ ମ୍ୟାନେଜର ମହମ୍ମଦ ଶାହନଓ୍ବାଜ ଅନଓ୍ବର ଟାଓ୍ବାର ଚୋରି ସମ୍ପର୍କରେ ପୋଲିସରେ ଅଭିଯୋଗ କରିଥିଲେ। ଏହି ଘଟଣାରେ କେତେଜଣ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ଆଇପିସିର ଧାରା ୩୭୯ରେ ମାମଲା ରୁଜୁ ହୋଇଛି।
ଏୟାରସେଲ୍‌ ୨୦୦୬ରେ ଉକ୍ତ ମୋବାଇଲ ଟାଓ୍ବାର ବସାଇଥିଲା। ୨୦୧୭ରେ ଏୟାରସେଲ୍‌ ଏହାକୁ ଜିଟିଏଲ୍‌ କମ୍ପାନୀକୁ ବିକ୍ରି କରିଦେଇଥିଲା। ଟାଓ୍ବାରଟି ଅକାମୀ ହୋଇଯାଇଥିବାରୁ କମ୍ପାନୀ ଘର ମାଲିକଙ୍କୁ କିଛି ମାସ ହେଲା ଭଡ଼ା ଦେଉ ନ ଥିଲା। ସେଥିପାଇଁ ଘର ମାଲିକ ଟାଓ୍ବାରକୁ ଛାତ ଉପରୁ ହଟାଇନେବାକୁ କମ୍ପାନୀକୁ କହିଥିଲେ। ଘର ମାଲିକ କାୟୁମ୍‌ଙ୍କୁ ପୋଲିସ ପଚାରିବାରୁ ସେ କହିଥିଲେ, କିଛିଦିନ ପୂର୍ବରୁ ଟାଓ୍ବାର ଖୋଲିବା ପାଇଁ କେତେଜଣ ଆସିଥିଲେ। ସେମାନେ ନିଜକୁ ଏୟାରସେଲ୍‌ କମ୍ପାନୀ କର୍ମଚାରୀ ପରିଚୟ ଦେଇଥିଲେ। ଟାଓ୍ବାରରେ ବୈଷୟିକ ତ୍ରୁଟି ଥିବାରୁ ଏହାକୁ ଖୋଲି ଆଉ ଏକ ଟାଓ୍ବାର ଲଗାଇବେ ବୋଲି ସେମାନେ କହିଥିଲେ। ତେବେ କମ୍ପାନୀ କର୍ମଚାରୀ ଏହାକୁ ଖୋଲି ନ ଥିବା ଜିଟିଏଲ୍‌ କହୁଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ପୋଲିସ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଗତବର୍ଷ ବିହାରର ରୋହତକରେ ଚୋରମାନେ ଏକ ଲୁହାବ୍ରିଜ୍‌ ସମ୍ପୂର୍ଣ୍ଣ କାଟି ଚୋରିକରି ନେଇଯାଇଥିଲେ। ଏହାର କିଛିଦିନ ପରେ ବେଗୁସରାଇରେ ଏକ ରେଳ ଇଞ୍ଜିନକୁ ଅନୁରୂପ ଭାବେ ଚୋରି କରିଥିଲେ। ଏଭଳି ଅଦ୍ଭୁତ ଚୋରି ଧରିବାରେ ପୋଲିସର ବିଫଳତାକୁ ସାଧାରଣରେ ସମାଲୋଚନା କରାଯାଇଛି।

Share