Categories: ଜାତୀୟ

ପ୍ରାକ୍ଟିକାଲ ଉତ୍ତର ଖାତାରେ ଭୋଜ୍‌ପୁରୀ ଗୀତ ଲେଖିଲେ ଛାତ୍ର

ପାଟନା,୨୪।୧୦: ପରୀକ୍ଷା ସମୟରେ ଉତ୍ତର ଖାତାରେ ଛାତ୍ରୀଛାତ୍ରମାନେ ଅନେକ ଅଜବ କଥା ଲେଖୁଥିବାର ନଜିର ରହିଛି। କିଏ ଗପ ତ କିଏ ନିଜ କାହାଣୀ ଆଉ କିଏ ପ୍ରଶ୍ନର ଉତ୍ତର ବଦଳରେ ଗୀତ ଲେଖି ପଳେଇ ଆସନ୍ତି। କିଛି ଏଭଳି ଏକ ଘଟଣା ଘଟିଛି ବିହାର ଛାପରା ଗ୍ରାମରେ। ସୂଚନାଯୋଗ୍ୟ, ଛପରା ସ୍ଥିତ ଏକ କଲେଜର କେମେଷ୍ଟ୍ରି ପ୍ରାକ୍ଟିକାଲ ପରୀକ୍ଷାରେ ଜଣେ ଛାତ୍ର ଉତ୍ତର ଖାତାରେ ଭୋଜପୁରୀ ଗୀତ ଲେଖିଥିବା ଜଣାପଡ଼ିଛି। ଛାତ୍ରଙ୍କ ଉତ୍ତର ଖାତାକୁ ଅଧ୍ୟାପିକା ଦେଖିବା ପରେ ତାଙ୍କୁ ଫୋନ୍‌ କରିଥିଲେ। ଉତ୍ତର ଖାତାରେ କ’ଣ ଲେଖିଥିବା ଅଧ୍ୟାପିକା ପଚାରିବାରୁ ଛାତ୍ର ଜଣକ ଗୀତ ଲେଖିଥିବା କହିଥିଲେ। ଏହାକୁ ନେଇ ଅଧ୍ୟାପିକା ରାଗିଯାଇ ପରଦିନ କଲେଜ୍‌କୁ ବାପାଙ୍କୁ ନେଇ ଆସିବା ପାଇଁ ଛାତ୍ରଙ୍କୁ ତାଗିଦ୍‌ କରିଥିଲେ। ହେଲେ ସେ ବାପା ଘରେ ନ ଥିବା କହିଥିଲେ। କିଛି ସମୟ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ପରେ ଛାତ୍ର ଜଣକ ଲେକ୍‌ଚରଙ୍କୁ କ୍ଷମା ମାଗିଥିଲେ। ଅନ୍ୟପଟେ ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Share