Categories: ଜାତୀୟ

ନୂଆ କୃଷି ମନ୍ତ୍ରୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ

ପାଟନା,୧୮।୮: ବିହାରରେ କ୍ୟାବିନେଟର ସମ୍ପ୍ରସାରଣ ପରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି। ନୂତନ ଆଇନ ମନ୍ତ୍ରୀ ତଥା ଆରଜେଡି ନେତା କାର୍ତ୍ତିକେୟ ସିଂଙ୍କ ପରେ ଏବେ ନୂତନ କୃଷି ମନ୍ତ୍ରୀ ସୁଧାକର ସିଂଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଛି ବିରୋଧୀ ଭାଜପା। ଆରଜେଡି ନେତା ତଥା ଜଗଦାନନ୍ଦ ସିଂଙ୍କ ପୁଅ ସୁଧାକର ସିଂଙ୍କ ବିରୋଧରେ ଚାଉଳ ଦୁର୍ନୀତି ଅଭିଯୋଗ ଆଣି ତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ କେମିତି ଦିଆଗଲା ବୋଲି ଭାଜପା ପ୍ରଶ୍ନ କରିଛି।
ସୁଧାକରଙ୍କ ନାଁରେ ଅଭିଯୋଗ ଆସିବା ପରେ ସେ କହିଛନ୍ତି,ଭାଜପା ନେତାମାନେ ଏହି ମାମଲାରେ କୋର୍ଟଙ୍କ ଆଦେଶ ଦେଖିବା ଉଚିତ। ଅଭିଯୋଗ ସବୁବେଳେ କରାଯାଏ କିନ୍ତୁ ସବୁବେଳେ ସତ୍ୟ ନୁହେଁ । କୌଣସି ପରିସ୍ଥିତିରେ ସେ ଇସ୍ତଫା ଦେବେ ନାହିଁ ବୋଲି ସେ କହିଛନ୍ତି।
ଏସ୍‌ଏଫ୍‌ସିର କୋଟି କୋଟି ଟଙ୍କାର ଚାଉଳ ଚୋରି ଅଭିଯୋଗରେ ସୁଧାକର ସିଂଙ୍କ ନାଁ ରହିଛି। ୨୦୧୩ରେ ରାମଗଡ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଥିଲା। ସୁଧାକର ଏବେ ମଧ୍ୟ ଏସଏଫସିରେ ୬୯ ଲକ୍ଷ ଟଙ୍କା ମୂଲ୍ୟର ଚାଉଳ ଜମା କରିନାହାଁନ୍ତି। ସୁଧାକରଙ୍କ ବ୍ୟତୀତ ଚାଉଳ ଅପହରଣ ମାମଲାରେ ଆଉ ୬୮ ଜଣ ଅଭିଯୁକ୍ତ ଅଛନ୍ତି। ସେମାନଙ୍କୁ ବକେୟା ଟଙ୍କା ଜମା କରିବାକୁ ପଡିବ।
ସୁଧାକର ସିଂଙ୍କୁ କୃଷି ମନ୍ତ୍ରୀ କରିବା ମଧ୍ୟ ଆଶ୍ଚର୍ଯ୍ୟଜନକ, କାରଣ ନୀତୀଶ କୁମାରଙ୍କ ସରକାର ହିଁ ଚାଉଳ ଦୁର୍ନୀତିରେ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏଭଳି ପରିସ୍ଥିତିରେ ସୁଧାକର ସିଂ କୃଷି ମନ୍ତ୍ରୀ ହେବା ପରେ ନୀତୀଶ ସରକାରଙ୍କ ଉପରେ ପ୍ରଶ୍ନ ଉଠିଛି।

Share