Categories: ଜାତୀୟ

‘ଅଢେଇ ବର୍ଷ ମୁଁ, ଅଢେଇ ବର୍ଷ ତୁମେ ହେବ ମୁଖ୍ୟମନ୍ତ୍ରୀ’

ପାଟନା,୧୭।୩: ବିହାରର ରାଜନୀତି ପୁଣି ଥରେ ରୋଚକ ମୋଡ଼ ନେଉଛି। ଏଥର ପ୍ରସଙ୍ଗ ଭାଜପା ଏବଂ ଜେଡିୟୁ ମଧ୍ୟରେ ନୁହେଁ, ବରଂ ବିକାଶଶୀଳ ଇନସାନ ପାର୍ଟି ସଭାପତି ମୁକେଶ ସାହାଣୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି। ମୁକେଶ ଏନଡିଏ ସହିତ ନ ରହିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ଏହି କାରଣରୁ ସେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଏକ ବଡ଼ ଅଫର ଦେଇଛନ୍ତି। କିନ୍ତୁ ଏହି ଅଫର୍‌ ଏକ ସର୍ତ୍ତ ସହିତ ଦେଇଛନ୍ତି। ମୁକେଶ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ଆମେ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରସ୍ତୁତ କରିବାକୁ ରାଜି କିନ୍ତୁ କେବଳ ଅଢେଇ ବର୍ଷ ପାଇଁ ଏବଂ ଏହା ପରେ ମୁଁ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବି। ଯଦି ଏହି ଅଫର ତେଜସୱୀ ଗ୍ରହଣ କରନ୍ତି, ତେବେ ମୁଁ ଏନଡିଏ ଛାଡିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଲାଲୁ ପ୍ରସାଦ ଯାଦବଙ୍କ ଉପରେ ମୋର ବିଶ୍ୱାସ ରହିଛି। ଲାଲୁ ଯାଦବ ସର୍ବଦା ପଛୁଆ ଶ୍ରେଣୀ ପାଇଁ କାର୍ଯ୍ୟ କରିଆସୁଛନ୍ତି। ଆମେ ଲାଲୁଙ୍କଠାରୁ ବହୁତ କିଛି ଶିଖିଲୁ। ମୁଁ ତାଙ୍କୁ ଦେଖି ରାଜନୀତି ଶିଖିଲି। ସେ ମୋ ହୃଦୟରେ ଅଛନ୍ତି ବୋଲି ସେ କହିଛନ୍ତି।

Share