Categories: ଜାତୀୟ

ତେଜସ୍ବୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ପାଟନା,୧୧।୮: ବିହାରରେ ପୁଣି ମହାମେଣ୍ଟ ସରକାର ଗଠନ କରାଯାଇଛି। ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ବର୍ତ୍ତମାନ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଉପମୁଖ୍ୟମନ୍ତ୍ରୀ ହେବାପରେ ଗୃହ ବିଭାଗ ପକ୍ଷରୁ ତାଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ତେଜସୱୀ ଯାଦବଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯାଇଛି। ଏହାସହ ବୁଲେଟ ପ୍ରୁଫ ଗାଡି ମଧ୍ୟ ଦିଆଯାଇଛି। ଏହାପୂର୍ବରୁ ସେ ଓ୍ବାଇ ପ୍ଲସ୍‌ର ସୁରକ୍ଷା ପାଇଥିଲେ।
ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସହ ପ୍ରଥମ କ୍ୟାବିନେଟ ବୈଠକ କରିଛନ୍ତି। ଏହି ବୈଠକରେ ଅଗଷ୍ଟ ୨୪ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅଧିବେଶନ ଅଗଷ୍ଟ ୨୪ ଏବଂ ୨୫ରେ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୪ରେ ଫ୍ଲୋର୍‌ ଟେଷ୍ଟ କରାଯିବ।
ସୂଚନାଯୋଗ୍ୟ, ବିହାରରେ ୨୦୧୭ରେ ଭାଜପା ସମର୍ଥନରେ ଜେଡିୟୁ ସରକାର ଗଢ଼ିବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଭାଜପା ନେତା କ୍ରମାଗତ ଭାବେ ପରସ୍ପରକୁ କଟାକ୍ଷ କରିଆସୁଥିଲେ। କିନ୍ତୁ ଗତ କିଛିଦିନ ହେଲା ତାହା ଚରମ ସ୍ଥିତିରେ ପହଞ୍ଚ ଥିବାବେଳେ ରାଜ୍ୟରେ ଏନ୍‌ଡିଏ ମେଣ୍ଟ ଭାଙ୍ଗି ଯାଇଥିଲା। ଜେଡିୟୁର ଅଭିଯୋଗ ଥିଲା ଦଳ ଭିତରେ ନୀତିଶଙ୍କ ପତିଆରା କ୍ଷୁଣ୍ଣ କରିବାକୁ ଭାଜପା ଉଦ୍ୟମ ଚଳାଇଥିଲା। ଶେଷରେ ଭାଜପାଠାରୁ ଦୂରେଇ ନୀତୀଶ କୁମାର ଆରଜେଡି ସହ ମିଶି ରାଜ୍ୟରେ ସରକାର ଗଢିଛନ୍ତି।

Share