Categories: ଜାତୀୟ

ବିହାର ସବୁଠୁ ପଛୁଆ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିହାର ଦେଶର ସବୁଠୁ ପଛୁଆ ରାଜ୍ୟ। ନୀତୀଶ କୁମାର ସରକାରରେ ଭାଜପା ସହଯୋଗୀ ଦଳ ରହିଥିବା ବେଳେ ପାର୍ଲାମେଣ୍ଟରେ ସରକାରଙ୍କ ଏଭଳି ରିପୋର୍ଟକୁ ନେଇ ନୂଆ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଜେଡିୟୁ ଲୋକ ସଭା ସଦସ୍ୟ ରାଜୀବ ରଞ୍ଜନ ସିଂଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ କହିଥିଲେ, ନୀତି ଆୟୋଗଙ୍କ ୨୦୨୧-୨୨ର ଦୀର୍ଘମିଆଦୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ରିପୋର୍ଟ ଅନୁଯାୟୀ ବିହାର ଦେଶର ସବୁଠୁ ପଛୁଆ ରାଜ୍ୟ। ଦାରିଦ୍ର୍ୟ, ସାକ୍ଷରତା ହାର, ମୋବାଇଲ୍‌ ଏବଂ ଇଣ୍ଟରନେଟ ବ୍ୟବହାରରେ ବିହାର ସର୍ବନିମ୍ନ ସ୍ତରରେ ରହିଛି। ରାଜ୍ୟର ସର୍ବାଧିକ ୩୩.୭୪% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ୫୨.୫ ପ୍ରତିଶତ ବହୁବିଧ ଦାରିଦ୍ର୍ୟର ସମ୍ମୁଖୀନ। ବିହାରରେ ୫୦.୫୬% ଲୋକ ମୋବାଇଲ ଏବଂ ୩୦.୯୯% ଇଣ୍ଟରନେଟ ବ୍ୟବହାର କରୁଥିବା ରାଓ ଇନ୍ଦ୍ରଜିତ କହିଥିଲେ। ନୀତି ଆୟୋଗ ଏସ୍‌ଡିଜି ସୂଚକାଙ୍କର ପ୍ରଥମ ୫ ସ୍ଥାନରେ ୯ଟି ରାଜ୍ୟ ରହିଛନ୍ତି। ସେଗୁଡ଼ିକ ହେଲେ କେରଳ, ହିମାଚଳପ୍ରଦେଶ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୋଆ, କର୍ନାଟକ, ଉତ୍ତରାଖଣ୍ଡ, ସିକ୍କିମ ଏବଂ ମହାରାଷ୍ଟ୍ର। ସବୁଠୁ ତଳେ ଥିବା ୩ ରାଜ୍ୟ ହେଲେ ଆସାମା, ଝାଡ଼ଖଣ୍ଡ ଏବଂ ବିହାର।

Share