ବିହାର ଅସଦାଚରଣ ମାମଲା: ୩ ଗିରଫ

ପାଟନା, ୨୨।୯: ବିହାରର ଜାମୁଇ ଜିଲାରେ ୧୦ମ ଶ୍ରେଣୀର ୨ଜଣ ଛାତ୍ରୀଛାତ୍ରଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାରେ ପୋଲିସ ୩ ଜଣ ନାବାଳକଙ୍କୁ ଗିରଫ କରିଛି। ଭିଡିଓ ଭାଇରାଲ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜାମୁଇ ଥାନାରେ ନାଗରିକ ସୁରକ୍ଷା ସଂହିତା ଏବଂ ପୋକ୍‌ସୋ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଘଟଣାନୁଯାୟୀ ଦଶମ ଶ୍ରେଣୀର ଜଣେ ଛାତ୍ର ଏବଂ ଜଣେ ଛାତ୍ରୀ ଶନିବାର ସନ୍ଧ୍ୟାରେ କୋଚିଂ କ୍ଲାସ ସାରି ପ୍ରସିଦ୍ଧ ମାଡୱା ପାହାଡ ଅଞ୍ଚଳକୁ ଯାଇଥିଲେ। ଏକ ସ୍କୁଟରରେ ଫେରୁଥିବା ସମୟରେ ଜାମୁଇ-ଲଖିସରାଇ ମୁଖ୍ୟ ରାସ୍ତାରୁ ପ୍ରାୟ ତିନି କିଲୋମିଟର ଦୂରରେ କେତେଜଣ ଯୁବକ ସେମାନଙ୍କୁ ଅଟକାଇ ଅସଦାଚରଣ କରିବା ସହ ମାଡ଼ ମାରିଥିଲେ। ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜାମୁଇ ଏସ୍‌ଡିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ପୋଲିସ ୭ରୁ ୮ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଅନ୍ୟପକ୍ଷରେ ନାବାଳକଙ୍କ ପରିଚୟ ପ୍ରକାଶ କରୁଥିବା ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିବା ୧୩ଟି ଫେସ୍‌ବୁକ୍‌, ୧୨ଟି ଇନ୍‌ଷ୍ଟାଗ୍ରାମ ଏବଂ ୭ଟି X ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଘଟଣାକୁ ନେଇ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଅପ୍‌ସରା ମିଶ୍ର ଜାମୁଇ ଡିଏମ୍‌ଙ୍କ ସହ କଥା ହୋଇଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି। ଏହି ଘଟଣାକୁ ନେଇ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବିରୋଧୀ ନେତା ସମାଲୋଚନା କରିଛନ୍ତି। ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଘଟଣାକୁ ଅତ୍ୟନ୍ତ ଗମ୍ଭୀର ଓ ବିଚଳିତ କଲା ଭଳି ବୋଲି ବର୍ଣ୍ଣନା କରିଛନ୍ତି। ଏପରି ମାନସିକତାକୁ ସ୍ବାଭାବିକ କରିବାରେ ଅନ୍ଧଭକ୍ତମାନେ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି। ଭିଡିଓରେ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କୁ ପୋକ୍‌ସୋ ଅଧୀନରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ କରାଯିବାକୁ ସେ ଦାବି କରିଛନ୍ତି।’ଆମ୍‌ ଆଦମି ପାର୍ଟି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ‘ବେଟି ବଚାଓ’ସ୍ଲୋଗାନ ସ୍ମରଣ କରାଇ ଦେଇଛି। ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ତଥା ଆରଜେଡି କାର୍ଯ୍ୟକାରୀ ସଭାପତି ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନାମ ନ ନେଇ ତାଙ୍କୁ ଅଭିଜ୍ଞତାହୀନ ବୋଲି କହି ଏହି ଘଟଣା ପାଇଁ ଦାୟୀ କରିଛନ୍ତି। ଯାଦବ ବିହାରରେ ଅରାଜକତା ପାଇଁ ମୋଦିଙ୍କୁ ମଧ୍ୟ ଏକମାତ୍ର ଦାୟୀ ବୋଲି କହିଛନ୍ତି। ତୃଣମୂଳ କଂଗ୍ରେସ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି ଏବଂ କହିଛି ଏହି ଘଟଣାରେ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ବିଳମ୍ବ କିମ୍ବା ରାଜନୈତିକ ହସ୍ତକ୍ଷେପ ବିନା ସର୍ବୋଚ୍ଚ ଦଣ୍ଡ ପାଇବା ଉଚିତ।

Dharitri – Odisha’s No.1 Odia Daily

Share
Tags: bihar