Categories: ଜାତୀୟ

ମଦ୍ୟପାନ କରୁଥିବା ଧରାପଡ଼ିଲେ ଘର ବାହାରେ ଲାଗିବ ପୋଷ୍ଟର; ଦେବାକୁ ପଡ଼ିବ ଜରିମାନା

ପାଟନା,୧।୧୦: ବିହାରରେ ନୀତୀଶ ସରକାର ଲୋକମାନଙ୍କୁ ମଦ୍ୟପାନରୁ ନିବୃତ୍ତ କରିବା ପାଇଁ ନୂଆ ଉପାୟ ଆପଣାଉଛନ୍ତି। ଏହି କ୍ରମରେ ନୀତୀଶ ସରକାର ଏବେ ନିଷ୍ପତ୍ତି ନେଇଛନ୍ତି ଯେ ଯଦି କେହି ପ୍ରଥମ ଥର ମଦ୍ୟପାନ କରୁଥିବା ଧରାଯାଏ, ତେବେ ତାଙ୍କ ଘର ବାହାରେ ଏକ ପୋଷ୍ଟର ଲଗାଯିବ। ଉକ୍ତ ପୋଷ୍ଟରରେ ସ୍ପଷ୍ଟ ଭାବେ ଲେଖାଯିବ ଯେ ବ୍ୟକ୍ତି ଜଣଙ୍କ ମଦ୍ୟପାନ କରିବାର ଅପରାଧ କରିଛନ୍ତି।
ଏପରି ପରିସ୍ଥିତିରେ ଯଦି କେହି ଘରେ ଲୁଚିକରି ମଦ୍ୟପାନ କରନ୍ତି ତେବେ ସେ ମଧ୍ୟ ବର୍ତ୍ତିବେ ନାହିଁ। ଧରାପଡ଼ିବା ପରେ ତାଙ୍କ ଘରେ ମଧ୍ୟ ପୋଷ୍ଟର ଲଗାଯିବ।

ପୂର୍ବରୁ ରାଜ୍ୟରେ ପ୍ରଚଳିତ ଆଇନ ଅନୁଯାୟୀ ଯଦି ବିହାରରେ ପ୍ରଥମ ଥର ପାଇଁ କେହି ମଦ୍ୟପାନ କରି ଧରାପଡିଥାନ୍ତି ତେବେ ତାଙ୍କୁ ଜରିମାନା କରାଯାଉଥିଲା। କିନ୍ତୁ ଏବେ ଏପରି କଲେ ଜରିମାନା ସହ ତାଙ୍କ ଘରେ ପୋଷ୍ଟର ମଧ୍ୟ ଲଗାଯିବ। ଯଦି ସେ ଦ୍ୱିତୀୟ ଥର ମଦ୍ୟପାନ କରି ଧରାପଡ଼ନ୍ତି ତେବେ ଏକ ବର୍ଷ ଜେଲଦଣ୍ଡ ନିଶ୍ଚିତ ହେବ ବୋଲି ପୋଷ୍ଟରରେ ଲେଖାଯିବ।

ତେବେ ପୋଷ୍ଟର ଲଗାଯିବାର ଉଦ୍ଦେଶ୍ୟ ହେଉଛି ଚେତାବନୀ ଦେବା। ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହିପରି ଲୋକଙ୍କୁ ଅନୁସନ୍ଧାନ କରିବେ ଏବଂ ସନ୍ଦେହ ହେଲେ ବ୍ରେଥ୍‌ ଆନାଲାଇଜର ଜରିଆରେ ଏହାର ଯାଞ୍ଚ କରିବେ। ପ୍ରଥମ ଥର ପାଇଁ ଧରାପଡ଼ିଲେ ଅଭିଯୁକ୍ତଙ୍କୁ ଶପଥପତ୍ର ଏବଂ ୩ରୁ ୫ ହଜାର ଟଙ୍କାର ଜରିମାନା ଦେବାପରେ ଛାଡ଼ି ଦେବାର ନିଷ୍ପତ୍ତି ନିଆଯାଇଛି। ଏପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ୫୦ ହଜାରରୁ ଅଧିକ ଲୋକ ଧରାପଡ଼ି ଜରିମାନା ଦେଇଥିବା କୁହାଯାଉଛି।

Share