ବିହାର ନିର୍ବାଚନ ପୂର୍ବରୁ ଭାଜପାକୁ ଆଉ ଏକ ଝଟ୍‌କା

ପାଟନା,୨୨ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଲାଗିଛି ଆଉ ଏକ ଝଟ୍‌କା । ପାର୍ଟିର ଷ୍ଟାର ପ୍ରଚାରକ ଶାହନବାଜ ହୁସେନଙ୍କ ପରେ ଏବେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ପାଟନାର ଏମ୍ସରେ ଭର୍ତ୍ତି କରାଯାଇଛି । ଏହି ଖବର ସେ ନିଜେ ଟୁଇଟ୍ କରି ଜଣାଇଛନ୍ତି । ସେ ଟୁଇଟ୍‌ରେ ଲେଖିଛନ୍ତି ଦୁଇ ଦିନ ହେବ ତାଙ୍କ ଶରୀରର ତାପମାତ୍ରା ଅଧିକ ଥିବାରୁ ସେ କରୋନା ଟେଷ୍ଟ କରାଇଥିଲେ । ଯାହା ଏବେ ପଜିଟିଭ ଆସିଛି । ହେଲେ ତାଙ୍କର ସମସ୍ତ ଅଙ୍ଗ ସ୍ୱାଭାବିକ ଭାବେ କାମ କରୁଛି । ତେଣୁ ସେ ଖୁବ୍‌ଶୀଘ୍ର ସୁସ୍ଥ ହୋଇ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯୋଗ ଦେବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ପ୍ରଥମେ ବୁଧବାର ଭାଜପାର ଷ୍ଟାର ପ୍ରଚାରକ ସୟଦ ଶାହନବାଜ ହୁସେନ କରୋନାରେ ସଂକ୍ରମିତ ହେବା ପରେ ରାଜୀବ ପ୍ରତାପ ରୁଡି, ସୁଶୀଲ ମୋଦି ଓ ମଙ୍ଗଲ ପାଣ୍ଡେୟ କ୍ୱାରାଣ୍ଟାଇନରେ ରହିଥିଲେ । ଆଉ ଏବେ ସୁଶୀଲ ମୋଦିଙ୍କ ରିପୋର୍ଟ ପଜିଟିଭ ଆସିଛି । ଅନ୍ୟ ଦୁଇଜଣ ରାଜୀବ ପ୍ରତାପ ରୁଡିି ଓ ମଙ୍ଗଲ ପାଣ୍ଡେୟ ମଧ୍ୟ କରୋନାରେ ପୀଡ଼ିତ ହୋଇଥିବା ଶୁଣିବାକୁ ମିଳୁଛି ହେଲେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Share