Categories: ଜାତୀୟ

ୟୁପି ବିଧାନସଭାରେ ନମାଜ, ବିହାର ବିଧାନସଭାରେ ହନୁମାନ ଚାଳିଶା ପାଠକୁ ନେଇ କୋଠରି ଦାବି କଲେ ନେତା

କାନପୁର/ପାଟନା,୭ ।୯: ଝାଡଖଣ୍ଡ ବିଧାନସଭାରେ ନମାଜ ପଢିବାକୁ କୋଠରି ଆଲର୍ଟ କରିବା ବିବାଦ ଜାରି ରହିଛି । ଏମିତି ବିବାଦ ଏବେ ଉତ୍ତର ପ୍ରଦେଶ ଓ ବିହାର ପର୍ଯ୍ୟନ୍ତ ଲମ୍ବି ଗଲାଣି । ଏଠାର ବିଧାନସଭାରେ ବି ଏମିତି ବ୍ୟବସ୍ଥା କରିବାକୁ ଦାବି କରାଗଲାଣି । ଉତ୍ତର ପ୍ରଦେଶ କାନପୁରର ବିଧାୟକ ଇରଫାନ ସୋଲାଙ୍କି ଦାବି କରିଛନ୍ତି କି ୟୁପି ବିଧାନସଭାରେ ନମାଜ ପାଠ କରିବା ଭଳି ବ୍ୟବସ୍ଥା କରାଯାଉ । ସେ କହିଛନ୍ତି ବିଧାନସଭା ସମୟରେ ନମାଜ ପଢିବାକୁ ଅସୁବିଧା ହେଉଛି । ତେଣୁ ବିଶ୍ୱାସକୁ ନଜରରେ ରଖି ଏହା ଉଚିତ ନିଷ୍ପତି ହେବ ବୋଲି ସେ କହିଛନ୍ତି । ଉତ୍ତର ପ୍ରଦେଶ ବ୍ୟତୀତ ବିହାରରେ ବି ଏହିଭଳି ମାମଲାକୁ ନେଇ ଚର୍ଚ୍ଚା ହେଲାଣି । ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ହରିଭୂଷଣ ଠାକୁର ଦାବି କରିଛନ୍ତ କି ବିହାର ବିଧାନସଭାରେ ହନୁମାନ ଚାଳିଶା ପାଠ କରିବାକୁ ଭିନ୍ନ ଏକ କୋଠରି ତିଆରି କରାଯାଉ । ଏହାସହ ମଙ୍ଗଳବାର ଛୁଟି ଘୋଷଣା କରାଯାଉ । ଭାଜପା ବିଧାୟକ କହିଛନ୍ତି ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି । ଯଦି ନମାଜ ପାଇଁ ଭିନ୍ନ କୋଠରି ମିଳୁଛି ତେବେ ହନୁମାନ ଚାଳିଶା ପାଇଁ କାହିଁକି ନୁହେଁ । ହରିଭୂଷଣ ଠାକୁର କହିଛନ୍ତି ଏହାକୁ ନେଇ ସେ ବିଧାନସଭା ଅଧ୍ୟକ୍ଷଙ୍କ ସହ କଥା ହେବେ, କାରଣ ସମସ୍ତଙ୍କୁ ପୂଜା କରିବାର ଅଧିକାର ରହିଛି । ଏହି ଘଟଣାକୁ ନେଇ ବିହାରର ପୂର୍ବତନ ବିଧାନସଭା ଅଧ୍ୟକ୍ଷ ତଥା ଶିକ୍ଷାମନ୍ତ୍ରୀ ବିଜୟ ଚୌଧୁରି କହିଛନ୍ତି, ଯେଉଁମାନେ ଅସଲ ନମାଜୀ ସେମାନେ କେଉଁଠିବି ନମାଜ ପଢିପାରିବେ ସେଥିପାଇଁ ଭିନ୍ନ କୋଠରିର ଆବଶ୍ୟକତା ନାହିଁ । ସେହିପରି ଯେଉଁମାନେ ଈଶ୍ୱରଙ୍କୁ ଡାକିବା କଥା ଯେଉଁଠି ଡାକିଲେ ବି ସେ ଶୁଣିବେ ।

Share