Categories: ଜାତୀୟ

ବିହାର: ଭାଜପାରୁ ୯, ଜେଡିୟୁରୁ ୧୫ ବହିଷ୍କୃତ

ପାଟନା, ୧୪ା୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଟିକେଟ ଆଶାରେ ଦଳଡିଆଁ ପାଇଁ ଭାଜପାର ୯ ଓ ଜେଡିୟୁର ୧୫ ନେତାଙ୍କୁ ବହିଷ୍କୃତ କରାଯାଇଛି।
ଭାଜପାରୁ ୯ ନେତା ଏଲ୍‌ଜେପିରୁ ଟିକେଟ ପାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦଳବିରୋଧୀ କାର୍ଯ୍ୟ ଯୋଗୁ ଭାଜପା ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୈଶଓ୍ବାଲ ଏହି ନେତାମାନଙ୍କୁ ୬ ବର୍ଷ ଲାଗି ବହିଷ୍କାର କରିଛନ୍ତି। ରାଜେନ୍ଦ୍ର ସିଂ, ଉଷା ବିଦ୍ୟାର୍ଥୀ, ରାମେଶ୍ୱର ଚୌରାସିଆ, ମ୍ରିଣାଳ ଶେଖର, ରବୀନ୍ଦ୍ର ଯାଦବ, ଶ୍ୱେତା ସିଂ, ଇନ୍ଦୁ କାଶ୍ୟପ, ଅନିଲ କୁମାର ଓ ଅଜୟ ପ୍ରତାପ ଏଭଳି ପରିଣାମ ଭୋଗିଛନ୍ତି। ସେହିପରି ଦଳବିରୋଧୀ କାର୍ଯ୍ୟ ଯୋଗୁ ଜେଡିୟୁର ୧୫ ନେତା ମଧ୍ୟ ବହିଷ୍କୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପୂର୍ବତନ ମନ୍ତ୍ରୀ, ୨ ବିଧାୟକ ରହିଛନ୍ତି। ଦଳୀୟ ଶୃଙ୍ଖଳା ଭାଙ୍ଗି ଏମାନେ ଏଲ୍‌ଜେପି ଟିକେଟରେ ନିର୍ବାଚନ ଲଢ଼ୁଥିବା ନେତାଙ୍କ ମଧ୍ୟରେ ଦାଦନ ସିଂ, ରାମେଶ୍ୱର ପାଶ୍ୱାନ, ଭଗବାନ ସିଂ କୁଶଓ୍ବାହ, ରଣବିଜୟ ସିଂ, ସୁମିତ୍‌ କୁମାର ସିଂ, କାଞ୍ଚନ କୁମାର ଗୁପ୍ତା, ପ୍ରମୋଦ ସିଂ ଚନ୍ଦ୍ରବଂଶୀ, ଅରୁଣ କୁମାର, ତାଜାମୁଲ ଖାନ୍‌ ଓ ଅମରେଶ୍‌ ଚୌଧୁରୀ ପ୍ରମୁଖ ଅଛନ୍ତି।

Share