ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ ଟ୍ରୋଲ କରୁଛନ୍ତି । ଏହି ବିବାଦ ଏତେ ବଢ଼ିଯାଇଛି ଯେ, ଶେଷରେ ପ୍ରଣିତ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଆକ୍ଟିଭେଟ ବା ଡିଲିଟ୍‌ କରିଦେଇଥିବା ଖବର ସାମ୍ନାକୁ ଆସିଛି । ବୁଧବାର ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଲକ୍ଷ୍ୟ କରିଥିଲେ ଯେ ପ୍ରଣିତଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ପ୍ରୋଫାଇଲ ଆଉ ଦେଖାଯାଉନାହିଁ, ଯାହା ପରେ ଏହି ଚର୍ଚ୍ଚା ତେଜିଛି ।
ଏହି ସମ୍ପୂର୍ଣ୍ଣ ବିବାଦ ପ୍ରଣିତଙ୍କ ଏକ କମେଡି ଶୋ’ରୁ ଆରମ୍ଭ ହୋଇଥିଲା। ଶୋ’ ଚାଲିଥିବା ସମୟରେ ଦର୍ଶକଙ୍କ ଗହଣରେ ବସିଥିବା ହିମାଂଶୁ ଜାଙ୍ଗଡା ନାମକ ଜଣେ ବ୍ୟକ୍ତି ନିଜ ଡେଟ୍‌ ସହ ଜଡ଼ିତ ଏକ କଥା ଶେୟାର କରିଥିଲେ । ସେ କହିଥିଲେ ଯେ, ସେ ଜଣେ ମହିଳାଙ୍କ ପାଇଁ ୩୭୦ ଟଙ୍କାର ଚିକେନ ବିରିୟାନୀ କିଣିଥିଲେ ଏବଂ ବଦଳରେ ସେହି ମହିଳାଙ୍କଠାରୁ କିଛି ଆଶା ରଖିଥିଲେ । ହିମାଂଶୁଙ୍କ ଏହି ମନ୍ତବ୍ୟକୁ ସୋସିଆଲ ମିଡିଆରେ ମହିଳାମାନଙ୍କ ପ୍ରତି ଅପମାନଜନକ ଏବଂ ଏକ ସଂକୀର୍ଣ୍ଣ ମାନସିକତା ବୋଲି ଦର୍ଶାଇ ତୀବ୍ର ବିରୋଧ କରାଯାଇଥିଲା ।
ଯଦିଓ ଏହି ବିବାଦୀୟ ବୟାନ ପ୍ରଣିତ ନିଜେ ଦେଇ ନ ଥିଲେ, ତଥାପି ଲୋକେ ତାଙ୍କ ଉପରେ ବର୍ଷିଛନ୍ତି । ଲୋକଙ୍କ କହିବା କଥା ହେଲା, ଶୋ’ର ହୋଷ୍ଟ ଥିବା ସତ୍ତ୍ୱେ ପ୍ରଣିତ ସେହି ସମୟରେ ହିମାଂଶୁଙ୍କ ଏଭଳି ଆପତ୍ତିଜନକ କଥାର କୌଣସି ବିରୋଧ କରି ନ ଥିଲେ । ବିବାଦ ବଢ଼ିବା ପରେ ପ୍ରଣିତ ଏଥିପାଇଁ କ୍ଷମା ମଧ୍ୟ ମାଗିଥିଲେ, କିନ୍ତୁ ଲୋକଙ୍କ ଅସନ୍ତୋଷ କମି ନ ଥିଲା । ଅପରପକ୍ଷରେ, ମନ୍ତବ୍ୟ ଦେଇଥିବା ବ୍ୟକ୍ତି ହିମାଂଶୁ ମଧ୍ୟ କ୍ଷମା ମାଗି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ହଟାଇ ଦେଇଛନ୍ତି ।
କହିରଖୁଛୁ, ପ୍ରଣିତ ’ବିଗ ବସ ୧୯’ର ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ଥିଲେ । ସେ ନିଜର ଚମତ୍କାର ସେନ୍ସ ଅଫ ହ୍ୟୁମର, ସତ୍ୟ ପାଇଁ ସ୍ବର ଉତ୍ତୋଳନ କରିବା ଏବଂ ଦମଦାର ଖେଳ ପ୍ରଦର୍ଶନ କରି ଗ୍ରାଣ୍ଡ ଫିନାଲେ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ଏବଂ ଶୋ’ରେ ତୃତୀୟ ସ୍ଥାନ ହାସଲ କରିଥିଲେ ।
Dharitri – Odisha’s No.1 Odia Daily

Share