ବନ୍ଧୁଙ୍କ ସହ ରୋଡ୍‌ ଟ୍ରିପ୍‌ରେ ଯାଇଥିବାବେଳେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଗଲେ ଏହି ଅଭିନେତା

ବମ୍ବେ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ବିଗ୍‌ବସ୍‌ ଫେମ୍‌ ଅଭିନେତା ନିଶାନ୍ତ ସିଂହ ମଲଖାନୀ। ଡିସେମ୍ବର ୩୧ ରାତି ୧୧.୫୯ରେ ରାଜସ୍ଥାନରେ ଦୁର୍ଘଟଣାର ଶିକାର ହୋଇଥିବା ନିଶାନ୍ତ କହିଛନ୍ତି। ଆହତ ଥିବା ଯୋଗୁ ସେ ଏବେ ଚିକିତ୍ସିତ ହେଉଛନ୍ତି।

ନିଶାନ୍ତ ଜୈସଲମେରକୁ କାମରେ ଯାଇଥିଲେ। କାମ ଶେଷ ହେବା ପରେ ସେ ସାଙ୍ଗମାନଙ୍କ ସହ ବୁଲିବା ପାଇଁ ଯାଇଥିଲେ। ସେ ନିଜର ଏସ୍‌ୟୁଭି କାର୍‌ ଡ୍ରାଇଭ୍‌ କରୁଥିବା ବେଳେ ଅପରପଟୁ ଭୁଲ ରାସ୍ତାରେ ଏକ କାର୍‌ ଆସି ତାଙ୍କୁ ଧକ୍କା ଦେଇଥିଲେ। ରାସ୍ତା ଛୋଟ ଥିବା ଯୋଗୁ ଉଭୟ କାର୍‌ର ଦୁର୍ଘଟଣା ହୋଇଥିଲା। ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିଲେ ହେଁ ନିଶାନ୍ତ ଏଥିରୁ ରକ୍ଷା ପାଇଯାଇଥିଲେ। ଅପରପକ୍ଷେ ଦୁର୍ଘଟଣା ପରେ ଅନ୍ୟ ଗାଡ଼ିର ଚାଳକ ସେଠାରୁ ଛୁ ମାରିଥିଲେ। ପରେ କ୍ରେନ୍‌ ସାହାଯ୍ୟରେ ଗାଡ଼ିଦ୍ୱୟକୁ ସେଠାରୁ ଥାନାକୁ ନିଆଯାଇଥିଲା।

ଦୁର୍ଘଟଣା ପରେ ନିଶାନ୍ତ ଭଗବାନ ଓ ତାଙ୍କ ମା’ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜୀବନରେ ପ୍ରଥମ ଥର ପାଇଁ ସେ ରୋଡ୍‌ ଟ୍ରିପ୍‌ରେ ଯାଇଥିଲେ। ରାଜସ୍ଥାନର ମରୁବାଲିରେ ସେ ନୂଆବର୍ଷକୁ ସ୍ବାଗତ କରିବାକୁ ଚାହୁଁଥିଲେ। ମାତ୍ର ସବୁକିଛି ବଦଳିଯାଇଥିଲା। ଦୁର୍ଘଟଣା ପରେ ଏବେ ତାଙ୍କୁ ନୂଆ ଜୀବନ ଫେରି ପାଇବା ଭଳି ଲାଗୁଛି। ତାଙ୍କ ମା’ ଏ ଘଟଣା ଜାଣିବା ପରେ ଭାବବିହ୍ବଳ ହୋଇଯାଇଥିଲେ। ଏଣୁ ଦିଲ୍ଲୀ ଯାଇ ଖୁବ୍‌ଶୀଘ୍ର ତାଙ୍କୁ ଭେଟିବାକୁ ଇଚ୍ଛା ରଖୁଥିବା କହିଛନ୍ତି ଅଭିନେତା।

Share