Categories: ଖେଳ

ଶତକ ମ୍ୟାଚରେ ଭାରତର ବୃହତ୍‌ ବିଜୟ

ରାଉରକେଲା ଅଫିସ/ଭୁବନେଶ୍ୱର,(କ୍ରୀଡ଼ା ପ୍ରତିନିଧି), ୨୮।୧: ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହକି ବିଶ୍ୱକପ୍‌ର ଏକ କ୍ଲାସିଫିକେଶନ ମ୍ୟାଚରେ ଭାରତ ୮-୦ ଗୋଲରେ ଜାପାନକୁ ପରାସ୍ତ କରିଛି। ଭାରତର ଏହାଥିଲା ୧୦୦ତମ ବିଶ୍ୱକପ୍‌ ମ୍ୟାଚ। ବିଶ୍ୱକପ୍‌ରେ ଭାରତର ଏହା ସର୍ବବୃହତ୍‌ ବିଜୟ ଥିଲା। ୧୯୭୫ରେ ଘାନା ବିପକ୍ଷରେ ଭାରତ ୭-୦ ଗୋଲରେ ବିଜୟୀ ହୋଇଥିଲା। ମାତ୍ର ୧୦୦ତମ ମ୍ୟାଚ ଏବଂ ବିଶ୍ୱକପ୍‌ରେ ଭାରତର ସର୍ବବୃହତ୍‌ ବିଜୟ ସହ ବିର୍ସା ମୁଣ୍ଡା ଷ୍ଟାଡିୟମ ନାମ ଯୋଡ଼ି ହୋଇଯାଇଛି। ବିର୍ସା ମୁୁଣ୍ଡା ଷ୍ଟାଡିୟମରେ ୨୦,୦୦୦ରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ସମ୍ମୁଖରେ ଭାରତ ଉତ୍ସାହୀ ପ୍ରଦର୍ଶନ କରିଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲେ ହେଁ ଏସିଆନ ଗେମ୍ସ ଚାମ୍ପିିୟନ ଜାପାନ ବିପକ୍ଷରେ ଦ୍ୱିିତୀୟାର୍ଦ୍ଧରେ ଭାରି ପଡ଼ିଥିଲା ଘରୋଇ ଦଳ। ଭାରତ ପକ୍ଷରୁ ଅଭିଷେକ ୩୬ ଓ ୪୪ତମ ମିନିଟରେ ୨ଟି ଫିଲ୍ଡ ଗୋଲ ଏବଂ ହରମନପ୍ରୀତ ସିଂ ୪୬ ଓ ୫୯ତମ ମିନିଟରେ ପେନାଲ୍ଟି କର୍ନରରୁ ୨ଟି ଗୋଲ ଦେଇଥିଲେ। ଏହା ବ୍ୟତୀତ ମନଦୀପ ସିଂ ୩୩, ବିବେକ ସାଗର ପ୍ରସାଦ ୪୦, ମନପ୍ରୀତ ସିଂ ୫୯ ଓ ସୁଖଜିତ ସିଂ ୬୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପ୍ରତିଯୋଗିତାର ୯ରୁ ୧୨ତମ ସ୍ଥାନ ପାଇଁ କ୍ଲାସିଫିିକେଶନ ମ୍ୟାଚରେ ଭାରତ ଶନିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ। ଗୁରୁବାର ଅନୁଷ୍ଠିତ ଅନ୍ୟ ଏକ କ୍ଲାସିଫିକେଶନ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୬-୩ ଗୋଲରେ ମାଲେସିଆକୁ ହରାଇ ଦେଇଥିଲା।

Share