ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଅଲିମ୍ପିକ ସଂଘ (IOA)ର ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ସ୍ପୋର୍ଟସପର୍ସନ ଅଫ ମେରିଟ (SOM) ନିର୍ବାଚନରେ IOA ଅଧ୍ୟକ୍ଷ ପି.ଟି. ଉଷା ନିର୍ବାଚିତ ହୋଇପାରିନାହାନ୍ତି। ଅନ୍ୟପଟେ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ମହିଳା ବର୍ଗର ୪ ଜଣ SOM ପ୍ରତିନିଧିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ତାଙ୍କ ସହ ଅଞ୍ଜୁ ବବି ଜର୍ଜ, ପୂର୍ବତନ ତୀରନ୍ଦାଜ ଡୋଲା ବାନାର୍ଜୀ ଏବଂ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ମଧ୍ୟ ନିର୍ବାଚିତ ହୋଇଛନ୍ତି।
ଏହା ପୂର୍ବରୁ ଶନିବାର ପୁରୁଷ ବର୍ଗର ୪ଟି SOM ପଦ ପାଇଁ ଅଲିମ୍ପିକ ପଦକ ବିଜେତା ଗଗନ ନାରଙ୍ଗ, ବକ୍ସର ବିଜେନ୍ଦର ସିଂହ, କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ ଏବଂ ପୂର୍ବତନ ଟେବୁଲ ଟେନିସ ଖେଳାଳି କମଲେଶ ମେହେଟା ନିର୍ବିରୋଧ ନିର୍ବାଚିତ ହୋଇଥିଲେ। ଏହି ପ୍ରତିଯୋଗିତାରେ ଅନ୍ୟ ୮ ଜଣ ପ୍ରାର୍ଥୀ ନିଜ ନାମାଙ୍କନ ପ୍ରତ୍ୟାହାର କରିଥିଲେ।
IOAରେ ମୋଟ ୮୦ ଜଣ ସ୍ପୋର୍ଟସପର୍ସନ ଅଫ ମେରିଟ (SOM) ରହିଥାନ୍ତି। ଏଥିରେ ୪୦ ଜଣ ପୁରୁଷ ଏବଂ ୪୦ ଜଣ ମହିଳା ସାମିଲ ଅଛନ୍ତି। ନିର୍ବାଚିତ ୮ ଜଣ SOM ଏବେ IOAର ସାଧାରଣ ପରିଷଦର ସଦସ୍ୟ ହେବେ। ଏହାଦ୍ୱାରା ସେମାନେ ଆଗାମୀ ୫ ଡିସେମ୍ବରରେ ହେବାକୁ ଥିବା କାର୍ଯ୍ୟକାରୀ ପରିଷଦ ନିର୍ବାଚନରେ ଭୋଟ ଦେବା ସହ ପ୍ରାର୍ଥୀ ହେବାକୁ ମଧ୍ୟ ଯୋଗ୍ୟ ହେବେ।
SOM ନିର୍ବାଚନରେ ପି.ଟି. ଉଷା ପରାଜିତ ହେବା ପରେ ଆଗାମୀ IOA ଅଧ୍ୟକ୍ଷ ନିର୍ବାଚନରେ ସେ ଭାଗ ନେଇପାରିବେ କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି। IOA ସମ୍ବିଧାନ ଅନୁଯାୟୀ, ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବାକୁ ହେଲେ SOM କିମ୍ବା ସାଧାରଣ ପରିଷଦର ସଦସ୍ୟ ହେବା ଆବଶ୍ୟକ।
ଏଭଳି ସ୍ଥିତିରେ ପି.ଟି. ଉଷାଙ୍କୁ କୌଣସି ଜାତୀୟ କ୍ରୀଡ଼ା ମହାସଂଘ (NSF) ମାଧ୍ୟମରେ ସାଧାରଣ ପରିଷଦକୁ ମନୋନୀତ ହେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ୨୦୨୨ରେ SOM ବର୍ଗରୁ ହିଁ ପି.ଟି. ଉଷା IOAର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ନିର୍ବିରୋଧ ନିର୍ବାଚିତ ହୋଇଥିଲେ।
SOM ନିର୍ବାଚନ ଆରମ୍ଭରୁ ହିଁ ବିବାଦ ଦେଖାଦେଇଥିଲା। ପି.ଟି. ଉଷା ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ଶ୍ରୀବାସ୍ତବଙ୍କ ନିକଟରେ ଅଭିଯୋଗ କରିଥିଲେ। ପୂର୍ବତନ ତୀରନ୍ଦାଜ ଡୋଲା ବାନାର୍ଜୀଙ୍କ ନାମରେ ଥିବା ଏକ ହ୍ବାଟ୍ସଆପ ଆକାଉଣ୍ଟରୁ ‘ନ୍ୟୁ ଭାରତ ପ୍ୟାନେଲ’କୁ ସମର୍ଥନ କରିବା ପାଇଁ ବାର୍ତ୍ତା ପ୍ରସାର କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ବୋଲି ଉଷା ଦର୍ଶାଇଥିଲେ।
କମନୱେଲ୍ଥ ଗେମ୍ସର ସ୍ବର୍ଣ୍ଣ ପଦକ ବିଜେତା ଭାରୋତ୍ତୋଳକ ସତୀଶ ଶିବଲିଙ୍ଗମ ମଧ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। IOAର ଜଣେ ଅଧ୍ୟକ୍ଷ ପଦାଧିକାରୀଙ୍କ ସପକ୍ଷରେ ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ସଂଗଠିତ ଉଦ୍ୟମ ଚାଲିଥିବା ସେ ଅଭିଯୋଗ କରିଥିଲେ।
ଏହି ସମସ୍ତ ଘଟଣାକୁ ନେଇ ଭାରତୀୟ ଅଲିମ୍ପିକ ସଂଘର ନିର୍ବାଚନ ପ୍ରକ୍ରିୟା ଚର୍ଚ୍ଚାରେ ରହିଛି। ଏବେ ସମସ୍ତଙ୍କ ନଜର ଡିସେମ୍ବର ୫ରେ ହେବାକୁ ଥିବା IOA କାର୍ଯ୍ୟକାରୀ ପରିଷଦ ନିର୍ବାଚନ ଉପରେ।