Categories: ଖେଳ

ଋଷଭ ପନ୍ତଙ୍କୁ ନେଇ ବଡ଼ ଅପ୍‌ଡେଟ୍‌: ଏହି ସିରିଜରୁ…

ନୂଆଦିଲ୍ଲୀ,୨୯।୧୦: ଭାରତୀୟ କ୍ରିକେଟ ଟିମ୍‌ର ଯୁବ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖୁବ୍‌ଶୀଘ୍ର ମଇଦାନକୁ ଫେରିପାରନ୍ତି। ଏବେ ତାଙ୍କ ଫିଟ୍‌ନେସକୁ ନେଇ ବଡ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସେ ଏବେ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ଅଭ୍ୟାସ କରୁଥିବା ବେଳେ ଚଳିତ ବର୍ଷ ଶେଷ ନଚେତ ଆସନ୍ତା ବର୍ଷ ଆରମ୍ଭ ଆଡକୁ ଦଳକୁ ଫେରିପାରନ୍ତି ବୋଲି କୁହାଯାଉଛି।

ରିପୋର୍ଟ ମୁତାବକ, ପନ୍ତ ଘରୋଇ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିବେ। ନଭେମ୍ବର ୨୩ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ହେବାକୁ ଥିବା ବିଜୟ ହଜାରେ ଟ୍ରଫିରେ ସେ ଖେଳିବା କୁହାଯାଉଛି। ଏହି ଟୁର୍ନାମେଣ୍ଟରେ ଖେଳି ପନ୍ତ ନିଜ ଲୟ ପ୍ରଥମେ ହାସଲ କରିବେ। ଏହାପରେ ସେ ଆସନ୍ତା ବର୍ଷ ଜାନୁୟାରୀରେ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ଜାତୀୟ ଦଳକୁ ଫେରିବେ ବୋଲି ଆଶା କରାଯାଉଛି।

କହିରଖୁଛୁ, ପନ୍ତ ଦିଲ୍ଲୀରୁ ନିଜ ଘରକୁ ଯାଉଥିବା ସମୟରେ ୨୦୨୨ ଡିସେମ୍ବର ୩୧ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କର ଲିଗାମେଣ୍ଟରେ ଆଘାତ ଲାଗିଥିବାରୁ ସର୍ଜରୀ କରାଯାଇଥିଲା। ସର୍ଜରୀ ପରେ ତାଙ୍କର ଚାଲିବା କଷ୍ଟକର ହୋଇଥିଲା। ହେଲେ ପନ୍ତ ମନୋବଳ ଦୃଢ଼ କରି ପୁଣିଥରେ ଦଳକାଇଁ ଖେଳିବାକୁ ଅଣ୍ଟା ଭିଡିଛନ୍ତି।

Share