ବନ ବିଭାଗକୁ ବଡ଼ ସଫଳତା: ସମ୍ବର ମାଂସ-ଚମଡ଼ା ଜବତ

ଅତାବିରା,୨୬।୧୧(ଯୁଧିଷ୍ଠିର ମହାପାତ୍ର):ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବନ ବିଭାଗକୁ ବଡ଼ ସଫଳତା। ବିଦ୍ୟୁତ ଫାଶ ବିଛାଇ ସମ୍ବର ଶିକାର କରିବା ଏବଂ ମାଂସ କାଟି ରଖିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଆଣ୍ଟି ପୋଚିଂ ସ୍କ୍ବାଡ। ଅଭିଯୁକ୍ତ ଦୁଇ ଜଣ ହେଲେ ବରଗଡ଼ ଜିଲା ରେଙ୍ଗାଲି ଗ୍ରାମର ୫୫ ବର୍ଷୀୟ ବିର୍ସା ମାଝୀ ଏବଂ ୪୮ ବର୍ଷୀୟ ଶତ୍ରୁଘ୍ନ ଭୁଏ।

ସୂଚନା ଅନୁସାରେ, ଗତ ୨୪ ନଭେମ୍ବର ରାତିରେ ଡେବ୍ରିଗଡ଼ ଅଭୟାରଣ୍ୟର କମଗାଁ ୱାଇଲ୍ଡଲାଇଫ ରେଞ୍ଜର ଆଣ୍ଟି ପୋଚିଂ ସ୍କ୍ବାଡ ନାଇଟ ପାଟ୍ରୋଲିଂ କରୁଥିବା ସମୟରେ ରେଙ୍ଗାଲି ଗାଁ ନିକଟରେ ବିଦ୍ୟୁତ ଫାଶ ବିଛାଯାଇଥିବା ନେଇ ବିଶେଷ ସୂଚନା ପାଇଥିଲା। ଏହାପରେ ତୁରନ୍ତ ଚଢ଼ାଉ କରି ଦୁଇ ଜଣଙ୍କୁ କାବୁ କରିଥିଲା ଟିମ। ସେମାନଙ୍କ ନିକଟରୁ ୨୦ କେଜି ସମ୍ବର ମାଂସ, ଚମଡ଼ା ଓ ଶରୀରର ଅନ୍ୟାନ୍ୟ ଅଂଶ ଜବତ ହୋଇଥିଲା।

ଏଥିସହ ମାଂସ କାଟିବା କଟୁରୀ, କୁରାଢ଼ି, ଓଜନ ମେଶିନ, ୫ କେଜି ବିଦ୍ୟୁତ ତାର, ୧୨ ଭୋଲ୍ଟର ୧୦୦ ଏଏଚ ବ୍ୟାଟେରୀ ଏବଂ ଇନଭର୍ଟର ମଧ୍ୟ ଜବତ କରିଛି ବନ ବିଭାଗ। ଅଭିଯୁକ୍ତମାନେ ନିଜ ଚାଷ ଜମି ନିକଟରେ ବିଦ୍ୟୁତ୍ ତାର ବିଛାଇଥିବାରୁ ସେଥିରେ ସମ୍ବରର ମୃତ୍ୟୁ ହୋଇଥିବା ଏବଂ ପରେ ମୃତଦେହକୁ କାଟି ମାଂସ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ସେପଟେ ନାଇଟ ପାଟ୍ରୋଲିଂ ସମୟରେ କମଗାଁ ନିକଟରୁ ଆଉ ୪ କେଜି ବିତ୍ୟୁତ ତାର ମଧ୍ୟ ଜବତ କରିଛି ବନ ବିଭାଗ। ଫଳରେ ଆଉ ଏକ ସମ୍ଭାବ୍ୟ ବନ୍ୟଜନ୍ତୁ ଶିକାର ଘଟଣାକୁ ରୋକାଯାଇପାରିଛି।

ଡେବ୍ରିଗଡ଼ ଅଭୟାରଣ୍ୟ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଗାଁଗୁଡ଼ିକରେ ବନ ବିଭାଗ ପକ୍ଷରୁ ଦିନରାତି ପାଟ୍ରୋଲିଂ, ରାତ୍ରିକାଳୀନ ନଜରଦାରୀ ଏବଂ ଗୁପ୍ତ ସୂଚନା ସଂଗ୍ରହ ଜାରି ରହିଛି। ବନ୍ୟଜନ୍ତୁ ଶିକାର ରୋକିବା ସହ ଅପରାଧୀଙ୍କୁ ତୁରନ୍ତ ଧରିବା ପାଇଁ ବନ ବିଭାଗର ଏହି ଅଭିଯାନ ଜାରି ରହିଛି।

 

Dharitri – Odisha’s No.1 Odia Daily

 

Share