Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୨୧।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର-ଇ-ତୋଏବାର ଟପ୍‌ କମାଣ୍ଡର ମୁଦାସିର୍‌ ପଣ୍ଡିତଙ୍କ ସହିତ ଅନ୍ୟ ୨ ଜଣ ଆତଙ୍କବାଦୀ ରହିଛନ୍ତି। ସ୍ଥାନୀୟ ତନ୍ତ୍ରପୋରାର ବ୍ରାଥ୍‌ ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ସେମାନେ ମିଳିତ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବ୍‌ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମର କରାଯାଇଥିବା କଶ୍ମୀର ଜୋନ୍‌ ପୋଲିସ୍‌ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି। ମୃତ ମୁଦାସିର୍‌ ୩ ଜଣ ପୋଲିସ, ୨ ଜଣ କାଉନସିଲର୍‌, ୨ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିବା ସହିତ ବହୁ ଆତଙ୍କବାଦୀ କାର୍ଯ୍ୟ କଳାପରେ ଜଡ଼ିତ ଥିବା ସେ କହିଛନ୍ତି। ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ଭାରତୀୟ ସେନା, ପୋଲିସ ଏବଂ ସିଆର୍‌ପିଏଫ୍‌ ଯବାନମାନେ ମିଳିତ ଭାବେ ଅଂଶଗ୍ରହଣ କରିଥିଲେ ବୋଲି ଆଇଜି ପ୍ରକାଶ କରିଛନ୍ତି।

Share