ମାଲକାନଗିରି ପୋଲିସକୁ ବଡ ସଫଳତା: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଛତିଶଗଡ ସୀମାକୁ ଲାଗିଥିବା ତୁଳସୀ ପାହାଡ ନିକଟ ଜଙ୍ଗଲ ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ମାଲକାନଗିରି ପୋଲସ ଓ ଏସ୍‌ଓଜି ବାହିନୀ ଦ୍ୱାରା ବିପୁଳ ପିରମାଣର ମାଓ ସାମଗ୍ରୀ ଜବତ ହୋଇଛି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଗୁଇନ୍ଦା ନିର୍ଦେଶକ ସଞ୍ଜୀବ କୁମାର ପଣ୍ଡା, ଅତିରିକ୍ତ ନିର୍ଦେଶକ ଅପରେଶନ ଅମିତାଭ ଠାକୁର, ଡିଆଇଜି ସ୍ବତନ୍ତ୍ର ଗୁଇନ୍ଦା ସଂସ୍ଥା ଅନିରଧ ସିଂ, କୋରାପୁଟ ଡିଆଇଜି ରାଜେଶ ପଣ୍ଡିତଙ୍କ ଉପସ୍ଥିତ ରହି ଏହି ସୂଚନା ଦେଇଛନ୍ତି। ବିଶେଷ ସୁତ୍ରରୁ ଖବରପାଇ ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ ନିକଟ ଜାଜଭଟା ଅଞ୍ଚଳ କର୍ତନପାଲ୍ଲୀ ଗ୍ରାମ ପଞ୍ଚାୟତର କିରିମିଟି ଓ କଟୁଆପଦର ଗ୍ରାମ ନିକଟ ଜଙ୍ଗଲରେ କୋମ୍ବିଂ ଅପରେଶନ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଏହି ଜବତ ସାମଗ୍ରୀ ମଧ୍ୟରୁ ଏୟାର ପିସ୍ତଲ ଗୋଟିଏ, ଛଅଗୋଟି ବାରେଲ ଗ୍ରେନେଡ୍‌ ଲଞ୍ଚର ସେଲ୍‌, ୫୦ଟି ଅଫୁଟା ଗୁଳି, ୧୫ଗୋଟି ଟିଫିନ୍‌ ବୋମା, ଗୋଟିଏ ଏସ୍‌ଏଲ୍‌ଆର୍‌ ରାଇଫଲ୍‌, ତିନୋଟି କଂଟ୍ରିମେଡ୍‌ ଗନ୍‌, ୧୪ଟି ଡିଟୋନେଟର, ୧୦ଟି ଜିଲଟିନ୍‌ ଷ୍ଟିକ୍‌, ଗୋଟିଏ ବଡ ଧରଣର ଗ୍ୟାସ୍‌ ସିଲିଣ୍ଡର ଜବତ ହୋଇଛି। ସେହିପରି ଛୁରି, କ୍ୟାମେରା ଫ୍ଲାସ୍‌, ୯ଟି ବ୍ୟାଟେରି, ୧୦ଟି ମୋବାଇଲ ଫୋନ୍‌ ଜବତ କରିଛି ପୋଲିସ।