ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।
ଆଡ଼ବା ଥାନାରେ ରୁଜୁ ହୋଇଥିବା ଏକ ନିଖୋଜ ମାମଲାର ତଦନ୍ତ ବେଳେ ଏହି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ରାୟଗଡ଼ାର ଈଶ୍ୱର କୁଶୁଲିଆ ଚାକିରିର ପ୍ରଲୋଭନ ଦେଇ ଦୁଇ ଯୁବତୀଙ୍କୁ ହାଇଦ୍ରାବାଦ ନେଇ ସେଠାରେ ଚନ୍ଦ୍ରା ଓରଫ ସରିତା ଜୈନ ଓରଫ ସରିଥା ଲୁନାୱତଙ୍କ ନିକଟରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ପୀଡ଼ିତାମାନଙ୍କୁ ବନ୍ଦୀ କରି ଅନୈତିକ କାର୍ଯ୍ୟରେ ଲିପ୍ତ ହେବାକୁ ବାଧ୍ୟ କରାଯାଉଥିଲା।
ଏସ୍ଡିପିଓ ରାକେଶ ସାହୁଙ୍କ ତତ୍ତ୍ୱାବଧାନରେ ଗଜପତି ପୋଲିସ ହାଇଦ୍ରାବାଦ ପୋଲିସର ସହଯୋଗରେ ଚଢ଼ାଉ କରି ସମସ୍ତ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ନାବାଳିକା। ଗିରଫ ଅଭିଯୁକ୍ତମାନେ ହେଲେ ଈଶ୍ୱର କୁଶୁଲିଆ ଏବଂ ଚନ୍ଦ୍ରା ଓରଫ ସରିତା ଜୈନ। ଏହି ଚାଲାଣରେ ସମ୍ପୃକ୍ତ ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।