ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହିଭଳି ପରିସ୍ଥିତିରେ ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତମାନଙ୍କୁ କାବୁ କରିବା ପାଇଁ ନିର୍ଦ୍ଦେଶ ଆସିଥିଲା। ଭଞ୍ଜନଗର ଥାନା ପକ୍ଷରୁ ଏକାଧିକ ଟିମ୍‌ ଗଠନ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଯୋଜନା ହୋଇଥିଲା। ଏଥିରେ ଭଞ୍ଜନଗର ପୋଲିସକୁ ଶନିବାର ବଡ଼ ସଫଳତା ମିଳିଛି। ଭଞ୍ଜନଗର, ତାରସିଂ ସମେତ ପ୍ରମୁଖ ଥାନାର ୭ ଟି ଚୋରି ଓ ଡକାୟତି ମାମଲାରେ ଜଡ଼ିତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି। ଗିରଫ ୪ ଜଣ ହେଲେ କୋଟିନାଡ଼ା ଥାନା ଅନ୍ତର୍ଗତ ନୂଆ ସାହାପୁରର ଏ. ପୁଟୁ ରାଜୁ , ଏ. ନାଗରାଜୁ,
କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜେନାପୁର ଗ୍ରାମର ଜିତୁ ନାହାକ, ଆସିକା ଥାନା ପାକଲାପଲ୍ଲୀର ଏମ ମୁନ୍ନା। ସେମାନଙ୍କ ଠାରୁ ୬୬ ଗ୍ରାମ ସୁନା ଅଳଙ୍କାର ଓ ୨୯୦୦ ଗ୍ରାମ ରୁପା ଅଳଙ୍କାର ଜବତ କରାଯାଇଥିବା ଏସଡିପିଓ ଡ.ଦୀପକ କୁମାର ମିଶ୍ର ଖବରଦାତା ସମ୍ମିଳନୀରେ  କହିଥିଲେ।

ଘଟଣାରୁ ପ୍ରକାଶ ଯେ, ଗତ ୧୭ ତାରିଖ ରାତିରେ ଅଭିଯୁକ୍ତମାନେ ଭଞ୍ଜନଗର ଥାନା ଅନ୍ତର୍ଗତ ବଡ଼ ତୁଳସୀପଲ୍ଲୀ ଗ୍ରାମର ସୁଶୀଲ କୁମାରଙ୍କ ଘରୁ ସୁନା ଚେନ୍‌ ଚୋରି କରିନେଇଥିଲେ। ଏନେଇ ସୁଶୀଲ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ଜୀବନାନନ୍ଦ ଜେନା ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଏକାଧିକ ଟିମ୍‌ ଗଠନ କରିଥିଲେ। ଏହା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଶନିବାର ଭଞ୍ଜନଗର ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଘଟଣା ସମ୍ପର୍କରେ କହିଥିଲେ। ଏହି ସମୟରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ୍‌ଆଇ ଜେ ସାହୁ, ସମୀର କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share