ଦାରିଙ୍ଗବାଡ଼ି, ୫।୧୦ (ଅରୁଣ ସାହୁ): ଖବର ପ୍ରକାଶ ପରେ ତତ୍ପର ହୋଇଛି ପଞ୍ଚାୟତ ପ୍ରଶାସନ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି ଅବ୍ୟବସ୍ଥିତ ହୋଇ ପଡ଼ିଥିବା ଡ୍ରେନ ଓ ଅଳିଆ ଆବର୍ଜନା ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଙ୍କ ସମ୍ମୁଖ ଖୋଲା ପଡ଼ିଆରେ ଜମି ରହିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନାକୁ ଜେସିବି ସହାୟତାରେ ହଟାଯାଇଥିଲା। ଏଥିସହ ବଜାର ମଧ୍ୟଦେଇ ଯାଇଥିବା ଡ୍ରେନ୍ର ମଧ୍ୟ ସଫେଇ କରାଯାଇଛି।
ସୂଚନା ଅନୁଯାୟୀ, ପ୍ରାୟ ଏକ ଦଶନ୍ଧି ଧରି ଡ୍ରେନ ସଫେଇ ହୋଇ ନ ଥିବାରୁ ଏହା ପୋତି ହୋଇଯାଇଥିଲା। ଫଳରେ ଡ୍ରେନ୍ର ଦୁର୍ଗନ୍ଧଯୁକ୍ତ ପାଣି ବାହାରି ରାସ୍ତା ଉପରେ ପ୍ରବାହିତ ହେଉଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅସନ୍ତୋଷ ଲାଗି ରହିଥିଲା। ସେହିପରି ବ୍ୟାଙ୍କ ସମ୍ମୁଖ ଅଞ୍ଚଳରେ ବଜାରରୁ ବାହାରୁଥିବା ଅଇଁଠା ଖଲିପତ୍ର ସମେତ ଆଖପାଖ ଘରୁ ବାହାରୁଥିବା ଅଳିଆ ଆବର୍ଜନା ଫିଙ୍ଗାଯାଉଥିବାରୁ ଏହି ଅଞ୍ଚଳରେ ଦୁର୍ଗନ୍ଧରେ ନାକ ଫାଟିବା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଆସୁଥିଲେ।
ଏହାବ୍ୟତୀତ ଜନଜାତି ସାପ୍ତାହିକ ହାଟ ବସୁଥିବା ଅଞ୍ଚଳରେ ମଧ୍ୟ ଦୀର୍ଘଦିନ ଧରି କୁଢ଼ କୁଢ଼ ଅଳିଆ ଆବର୍ଜନା ଜମି ରହିଥିଲା। ଫଳରେ ସିମନବାଡ଼ି ଅଞ୍ଚଳର ପରିବେଶ ପ୍ରଦୂଷଣକୁ ନେଇ ଲୋକଙ୍କ ମଧ୍ୟରେ ଉଦ୍ବେଗ ବଢ଼ିଥିଲା। ଏନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସରପଞ୍ଚ ଅମିତା ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ସରପଞ୍ଚ ପ୍ରତିନିଧି ପରମେ ପ୍ରଧାନ ଏବଂ ପଞ୍ଚାୟତ କାର୍ଯ୍ୟର୍ନିବାହୀ ଅଧିକାରୀ ପ୍ରଭାତ ପ୍ରଧାନଙ୍କ ତତ୍ତ୍ୱାବଧାନରେ ସଫେଇ କାର୍ଯ୍ୟ ଜୋରଦାର କରାଯାଇଛି। ଏହି ସଫେଇ କାର୍ଯ୍ୟରେ ଜେସିବି, ଟ୍ରାକ୍ଟର ସହ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଛି। ପଞ୍ଚାୟତ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସଫେଇ ଅଭିଯାନକୁ ନେଇ ସ୍ଥାନୀୟ ଲୋକେ ସନ୍ତୋଷ ପ୍ରକାଶ କରିଛନ୍ତି।