ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ନେଇ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦଳର ଷ୍ଟାର୍ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଆହତ ଜନିତ ସମସ୍ୟା ଯୋଗୁ ଆଗାମୀ ଦିନିକିଆ ସିରିଜ୍ରୁ ମଧ୍ୟ ବାଦ୍ ପଡ଼ିପାରନ୍ତି।
ଆସନ୍ତା ଜୁଲାଇ ୧୪ ତାରିଖରୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଥିବା ବେଳେ ସେପର୍ଯ୍ୟନ୍ତ ନୀତିଶ ସମ୍ପୂର୍ଣ୍ଣ ଫିଟ୍ ହେବା ମୁସ୍କିଲ ମନେହେଉଛି। ରିପୋର୍ଟ ଅନୁଯାୟୀ, ସେ ଏବେ ମଧ୍ୟ ବେଙ୍ଗାଲୁରୁ ସ୍ଥିତ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ରେ ଅଛନ୍ତି ଏବଂ ଏପର୍ଯ୍ୟନ୍ତ ତାଙ୍କର ରିହାବ୍ ପ୍ରକ୍ରିୟା ଆରମ୍ଭ ହୋଇନାହିଁ।
ସୂଚନାଯୋଗ୍ୟ ଯେ, ପାଦରେ ଆଘାତ ଲାଗିବା କାରଣରୁ ସେ ପୂର୍ବରୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ରୁ ବାଦ୍ ପଡ଼ିଥିଲେ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ନୀତିଶ ରେଡ୍ଡୀ ସିଧାସଳଖ ଜିମ୍ବାୱେ ଗସ୍ତ ସମୟରେ ହିଁ ଟିମ୍ ଇଣ୍ଡିଆକୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। ଭାରତକୁ ଜିମ୍ବାୱେ ଗସ୍ତରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି।
ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ନୀତିଶ ରେଡ୍ଡୀଙ୍କ ସ୍ଥାନ କିଏ ନେବ? କାରଣ ଦଳର ଅନ୍ୟତମ ପ୍ରମୁଖ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ଦିନିକିଆ ସିରିଜ୍ରେ ଖେଳୁନାହାନ୍ତି। ଏଭଳି ପରିସ୍ଥିତିରେ ଯୁବ ଖେଳାଳି ସୂର୍ଯ୍ୟାଂଶ ଶେଡ୍ଗେଙ୍କ ଭାଗ୍ୟ ଖୋଲିପାରେ ଏବଂ ତାଙ୍କୁ ଦଳ ପକ୍ଷରୁ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ରେ ପଦାର୍ପଣ କରିବାର ସୁଯୋଗ ମିଳିପାରେ।