ନୂଆଦିଲ୍ଲୀ,୨୦ା୫: ପଶ୍ଚିମବଙ୍ଗର ଫାଲ୍ଟା ନିର୍ବାଚନମଣ୍ଡଳୀରେ ସାନି ନିର୍ବାଚନର ମାତ୍ର ୨ ଦିନ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମ୍ସି) ପ୍ରାର୍ଥୀ ଜାହାଙ୍ଗୀର ଖାନ୍ ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଥିବା ମଙ୍ଗଳବାର ଘୋଷଣା କରିଛନ୍ତି। ଫାଲ୍ଟାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସ୍ବତନ୍ତ୍ର ପ୍ୟାକେଜ୍ ପ୍ରତିଶ୍ରୁତି ଦେଇଥିବାରୁ ସେ ନିର୍ବାଚନ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିବା ଖାନ୍ କହିଛନ୍ତି। ଅନ୍ୟପକ୍ଷରେ ଶୁଭେନ୍ଦୁ ଟିଏମ୍ସି ପ୍ରାର୍ଥୀଙ୍କ ଏଭଳି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି। କୌଣସି ପୋଲିଂ ଏଜେଣ୍ଟ ନ ପାଇବାରୁ ଖାନ୍ ନିର୍ବାଚନ ଲଢ଼ିବାରୁ ଓହରିଗଲେ ବୋଲି ଶୁଭେନ୍ଦୁ କହିଛନ୍ତି। ଅନ୍ୟପକ୍ଷରେ ଟିଏମ୍ସି କହିଛି, ଫାଲ୍ଟା ନିର୍ବାଚନମଣ୍ଡଳୀରେ ଶତାଧିକ ଦଳୀୟ କର୍ମୀଙ୍କୁ ଗିରଫ କରାଯାଇଥିବାବେଳେ ନିର୍ବାଚନ କମିଶନ ଏଥିପ୍ରତି ଆଖିବୁଜି ଦେଇଛନ୍ତି। ନିର୍ବାଚନରୁ ଓହରିଯିବା ଜାହାଙ୍ଗୀର ଖାନ୍ଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏହା ଦଳୀୟ ନିଷ୍ପତ୍ତି ନୁହେଁ ବୋଲି ଟିଏମ୍ସି କହିଛି।