ଉଦ୍ଧବ ଠାକ୍‌ରେଙ୍କୁ ବଡ଼ ଝଟ୍‌କା: ଏକନାଥ ଶିନ୍ଦେଙ୍କୁ ସମର୍ଥନ ଘୋଷଣା କଲେ ୬ ଏମ୍‌ପି

ମୁମ୍ବାଇ,୧୭।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି)କୁ ବଡ଼ ଝଟ୍‌କା ଲାଗିଛି। ଡେପୁଟି ସିଏମ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାକୁ ଦଳର ୬ ଜଣ ଏମ୍‌ପି ସମର୍ଥନ ଜଣାଇଛନ୍ତି। ଏକନାଥ ଶିନ୍ଦେରେ ଯୋଗଦେବାକୁ ଥିବା ଏମ୍‌ପିମାନଙ୍କ ମଧ୍ୟରେ ସଞ୍ଜୟ ଯାଦବ, ସଞ୍ଜୟ ଦେଶମୁଖ, ନାଗେଶ ପାଟିଲ ଅଷ୍ଟିକର, ଓମ୍ରାଜେ ନିମ୍ବଲକର, ଭାଉସାହେବ ଭାକଚୌରେ ଏବଂ ସଞ୍ଜୟ ଦିନା ପାଟିଲ ଅଛନ୍ତି।
୨୦୨୨ରେ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାର ଗୋଟିଏ ଗୋଷ୍ଠୀ ଦଳରୁ ବାହାରିଯିବାରୁ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ବଦଳିଯାଇଥିଲା। ଏବେ ଶିବସେନା(ୟୁବିଟି)ରୁ ସାଂସଦମାନଙ୍କୁ ଅନ୍ୟ ଦଳକୁ ନେଇଯିବା ପାଇଁ ଉଦ୍ୟମ ଚାଲିଥିବାବେଳେ ଏକନାଥ ଶିନ୍ଦେଙ୍କ ନେତୃତ୍ୱ ଉପରେ ବିଶ୍ୱାସ ରଖୁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଦଳର ଦ୍ୱାର ଖୋଲା ରହିଛି ବୋଲି ମଙ୍ଗଳବାର ଶିବସେନା ନେତା ପ୍ରତାପ ସରନାଏକ କହିଛନ୍ତି।

ଶିବସେନା(ୟୁବିଟି) ଏମ୍‌ପି ସଞ୍ଜୟ ଦେଶମୁଖ ସୋମବାର କେନ୍ଦ୍ରମନ୍ତ୍ରୀ ତଥା ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ନେତା ପ୍ରତାପରାଓ ଯାଦବଙ୍କୁ ଭେଟିଥିଲେ। ଏହାର ଦିନକ ପୂର୍ବରୁ ଉଦ୍ଧବ ଡାକିଥିବା ବୈଠକରେ ଶିବସେନା (ୟୁବିଟି)ର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ମାତ୍ର ୪ ଜଣ ଯୋଗ ଦେଇଥିଲେ। ଯେଉଁମାନେ ଶିବସେନାର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଆଦର୍ଶ ଏବଂ ଉପମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ନେତୃତ୍ୱ ଉପରେ ବିଶ୍ୱାସ କରନ୍ତି, ସେମାନଙ୍କୁ ଦଳରେ ସ୍ବାଗତ କରାଯିବ। ଆଗାମୀ ଦିନରେ ଯଦି ସେମାନେ ଏକନାଥ ଶିନ୍ଦେଙ୍କ ଦଳରେ ସାମିଲ ହେବାକୁ ଚାହାନ୍ତି, ତେବେ ସେମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି ସରନାଏକ କହିଛନ୍ତି।

ଯେତେବେଳେ ଆମ ଦିନ ଆସିବ, ଦଳ କିପରି ଭାଙ୍ଗେ, ତାହା ଦେଖାଇଦେବୁ ବୋଲି ଦଳ ଭାଙ୍ଗିବା ଚର୍ଚ୍ଚାକୁ ନେଇ ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି। ଦଳର କେତେଜଣ ଲୋକ ସଭା ସଦସ୍ୟ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଯିବା କଳ୍ପନାଜଳ୍ପନାକୁ ରାଉତ ଖଣ୍ଡନ କରିଛନ୍ତି। ଦଳରେ ଏବେ କୌଣସି ସଙ୍କଟ ନାହିଁ। ଯଦି କୌଣସି ସଙ୍କଟ ଆସେ ତାହାର ସମାଧାନ କରାଯିବ ବୋଲି ପାର୍ଲାମେଣ୍ଟ ହାଉସ୍‌ କମ୍ପ୍ଲେକ୍ସଠାରେ ରାଉତ ଖବରଦାତାମାନଙ୍କୁ କହିଛନ୍ତି।

 

Dharitri – Odisha’s No.1 Odia Daily

 

Share