ଅଷ୍ଟ୍ରେଲିଆ ଟିମ୍‌ରେ ବଡ଼ ହଲଚଲ: ୨ ଅଭିଜ୍ଞ ଖେଳାଳି ଦଳରୁ ବିଦା, କ୍ରିକେଟ୍‌ ଜଗତରେ ବଢୁଛି ଚର୍ଚ୍ଚା

ସିଡନୀ,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୪ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି। ଦଳରୁ ଦୁଇ ଅଭିଜ୍ଞ ଖେଳାଳି ନାଥନ ଲାୟନ ଓ ମାର୍ନସ ଲାବୁସେନ ବାଦ ପଡ଼ିଛନ୍ତି। ଦୀର୍ଘ ୧୩ ବର୍ଷ ଧରି ଅଷ୍ଟ୍ରେଲିଆର ପ୍ରମୁଖ ସ୍ପିନର ରହିଥିବା ଲାୟନଙ୍କୁ ବାଦ ଦିଆଯାଇଥିବା ବେଳେ ଖରାପ ଫର୍ମ ଯୋଗୁ ଲାବୁସେନ ଦଳରୁ ବାଦ ପଡ଼ିଛନ୍ତି। ଅନ୍ୟପଟେ ୨୯ ବର୍ଷୀୟ ସ୍ପିନର କୋରି ରୋଚିଓଲି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ପ୍ୟାଟ କମିନ୍ସ ଦଳର ଅଧିନାୟକ ରହିବେ।

ଆସନ୍ତା ଡିସେମ୍ବର ୯ ତାରିଖରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୪ ଟେଷ୍ଟ ମ୍ୟାଚ୍‌ର ସିରିଜ ଆରମ୍ଭ ହେବ। ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି କିଛି ସପ୍ତାହ ପୂର୍ବରୁ ଲାବୁସେନଙ୍କୁ ଏହି ସିରିଜ ପାଇଁ ଚୟନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

ନାଥନ ଲାୟନଙ୍କୁ ଦଳରୁ ବାଦ ଦେବା ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜୋର ଧରିଛି। କିଛି ରିପୋର୍ଟ ଅନୁସାରେ, ୨୦୧୮ରେ ପାକିସ୍ତାନ ବିପକ୍ଷ ଦୁବାଇ ଟେଷ୍ଟ ସମୟରେ ମିଣ୍ଟ ବ୍ୟବହାର କରି ବଲ୍‌ର ଅବସ୍ଥା ବଦଳାଇବା ପାଇଁ ପରାମର୍ଶ ଦେଇଥିବା ଖେଳାଳିଙ୍କ ମଧ୍ୟରେ ଲାୟନଙ୍କ ନାମ ଥିବା ଦାବି କରାଯାଇଛି। ତେବେ ତାଙ୍କୁ ବାଦ ଦେବା ପଛରେ ଖରାପ ପ୍ରଦର୍ଶନ ମୁଖ୍ୟ କାରଣ ବୋଲି ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି କହିଛନ୍ତି।

ବେଲିଙ୍କ କହିବା ଅନୁସାରେ, ଲାୟନଙ୍କ ଭଳି ଅଭିଜ୍ଞ ବୋଲରଙ୍କୁ ବାଦ ଦେବା ନିଷ୍ପତ୍ତି କଷ୍ଟକର ଥିଲା। ତେବେ ଗତ କିଛି ମ୍ୟାଚ୍ରେ ସେ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ଭବିଷ୍ୟତରେ ଭଲ ପ୍ରଦର୍ଶନ କଲେ ତାଙ୍କ ପାଇଁ ଦଳକୁ ଫେରିବାର ରାସ୍ତା ଖୋଲା ରହିବ ବୋଲି ସେ କହିଛନ୍ତି।

ମାର୍ନସ ଲାବୁସେନଙ୍କ ଖରାପ ଫର୍ମ ତାଙ୍କୁ ଦଳରୁ ବାଦ ପକାଇଛି। ୨୦୨୫ ଆରମ୍ଭରୁ ଏପର୍ଯ୍ୟନ୍ତ ସେ ୧୧ଟି ଟେଷ୍ଟ ମ୍ୟାଚ୍‌ରେ ୪୬୫ ରନ କରିଛନ୍ତି। ଗତ ୯ଟି ଟେଷ୍ଟ ସିରିଜ୍‌ରେ ତାଙ୍କ ବ୍ୟାଟ୍‌ରୁ ଗୋଟିଏ ମଧ୍ୟ ଶତକ ଆସିନାହିଁ। ସେହିପରି ଗତ ୧୬ଟି ପାଳିରେ ମଧ୍ୟ ସେ ଅର୍ଦ୍ଧଶତକ ହାସଲ କରିପାରିନାହାନ୍ତି।

ଅଷ୍ଟ୍ରେଲିଆର ଟେଷ୍ଟ ଦଳ
ପ୍ୟାଟ କମିନ୍ସ (ଅଧିନାୟକ), ସ୍କଟ ବୋଲାଣ୍ଡ, ଆଲେକ୍ସ କ୍ୟାରି, ଜ୍ୟାକ କ୍ଲେଟନ, କାମେରନ ଗ୍ରୀନ, ଜୋଶ ହାଜେଲଉଡ, ଟ୍ରାଭିସ ହେଡ, ଜୋଶ ଇଙ୍ଗଲିସ, ମାଇକେଲ ନେସର୍‌, ମାଥ୍ୟୁ ରେନ୍ସ, କୋରି ରୋଚିଓଲି, ଷ୍ଟିଭ ସ୍ମିଥ ଓ ମିଚେଲ ଷ୍ଟାର୍କ।

Share