Categories: ଜାତୀୟ

ଉଦ୍ଧବ ଠାକ୍‌ରେଙ୍କୁ ଆଉ ଏକ ଝଟ୍‌କା: ଘନିଷ୍ଠ ନେତାଙ୍କ ପୁଅ ଭୂଷଣ ଦେଶାଇ ଶିନ୍ଦେ ଗୋଷ୍ଠୀରେ ସାମିଲ

ମୁମ୍ବାଇ,୧୩।୩: ଶିବସେନାର ନାମ ଏବଂ ନିର୍ବାଚନ ପ୍ରତୀକ ହରାଇବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମସ୍ୟା ଥମିବାର ନାମ ନେଉନି। ବର୍ତ୍ତମାନ ଉଦ୍ଧବଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ତାଙ୍କର ଘନିଷ୍ଠ ସହଯୋଗୀ ତଥା ଠାକ୍‌ରେ (ୟୁବିଟି) ଦଳର ବରିଷ୍ଠ ନେତା ସୁଭାଷ ଦେଶାଇଙ୍କ ପୁଅ ଭୂଷଣ ଦେଶାଇ ଶିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ଭୂଷଣ ଶିବସେନାରେ ଯୋଗଦେଇଛନ୍ତି। ଶିବସେନାରେ ଯୋଗଦେବା ପରେ ଭୂଷଣ ଦେଶାଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବାଲାସାହେବ ମୋର ଭଗବାନ। ଏକନାଥ ଶିିନ୍ଦେ ହିନ୍ଦୁତ୍ୱର ବିଚାରଧାରାକୁ ପ୍ରୋତ୍ସାହିତ କରୁଛନ୍ତି। ତାଙ୍କ ଉପରେ ମୋର ବିଶ୍ୱାସ ଅଛି। ମୁଁ ତାଙ୍କ ସହିତ ପୂର୍ବରୁ କାମ କରିସାରିଛି ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କ ସହିତ ରହିବି। ଜଣେ ସାମାଜିକ କର୍ମକର୍ତ୍ତା ଭାବେ ସେ ଶିନ୍ଦେଙ୍କଠାରୁ ଅନୁପ୍ରାଣିତ ବୋଲି ଭୂଷଣ କହିଛନ୍ତି। ସୂଚନାଯୋଗ୍ୟ, ବିଧାନସଭା ଅଧିବେଶନରେ ଏମ୍‌ଆଇଡିସି ଜମି ଦୁର୍ନୀତି ମାମଲାରେ ଭୂଷଣଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏଥିପାଇଁ ସରକାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

Share