ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର): ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ ଭିତରେ ବଡ଼ ଫାଟ ଦେଖାଦେଇଛି। ବିଧାୟକ ଓ ଏମ୍ପିଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି। ଦଳୀୟ କର୍ମୀଙ୍କ ମଧ୍ୟରେ ବିବାଦ ତୀବ୍ର ହେବା ସହ ଶିଳାନ୍ୟାସ ଫଳକ ଭଙ୍ଗାରୁଜା ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
କବିସୂର୍ଯ୍ୟନଗର ର୍ନିବାଚନମଣ୍ଡଳୀର ଭୂତସରସିଙ୍ଗିଠାରୁ ବୁଢାଆମ୍ବ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗୀୟ ରାସ୍ତାର ସମ୍ପ୍ରସାରଣ ଓ ନିର୍ମାଣ ଲାଗି ସରକାରଙ୍କ ପକ୍ଷରୁ ୧୭ କୋଟି ଟଙ୍କାର ଅନୁଦାନ ଆସିଛି। ଏହି କାର୍ଯ୍ୟର ଶୁଭାରମ୍ଭ ପାଇଁ ଭୂତସରସିଙ୍ଗି ଠାରେ ଟେଣ୍ଟ ପକାଯାଇ ଏକ ଶିଳାନ୍ୟାସ ଫଳକ ଲଗାଯାଇଥିଲା।
ତେବେ ମଙ୍ଗଳବାର ସକାଳେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଶିଳାନ୍ୟାସ କରିବା ପୂର୍ବରୁ ଫଳକରେ ସ୍ଥାନୀୟ ଏମ୍ପି ଅନିତା ଶୁଭଦର୍ଶିନୀଙ୍କ ନାମ ନ ଥିବା ଦେଖିବାକୁ ମିଳିଥିଲା। ଏଥିରେ ଏମ୍ପିଙ୍କ ସମର୍ଥକ ଓ ଦଳୀୟ କର୍ମୀମାନେ ଉତ୍ତ୍ୟକ୍ତ ହୋଇ ଫଳକକୁ ଭାଙ୍ଗି ଚୁରମାର କରିଦେଇଥିଲେ। ସେହିପରି କବିସୂର୍ଯ୍ୟନଗର ବ୍ଲକର ଗୁଡିଆଳି ଠାରୁ ପୁରୁଷୋତ୍ତମପୁର ବ୍ଲକର ଟଙ୍କାଛାଇ ରାସ୍ତା ର୍ନିମାଣ ପାଇଁ ହୋଇଥିବା ଫଳକକୁ ମଧ୍ୟ ସେମାନେ ଭାଙ୍ଗି ଦେଇଥିଲେ। ପୂର୍ତ୍ତ ବିଭାଗ କାହା ଛତ୍ରଛାୟାରେ ରହି ଏମ୍ପିଙ୍କୁ ଅସମ୍ମାନ କରୁଛି ବୋଲି କର୍ମୀମାନେ ତୀବ୍ର ସମାଲୋଚନା କରିଛନ୍ତି।
ଫଳକ ଭଙ୍ଗାଯିବା ପରେ ମଧ୍ୟ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ପଛକୁ ହଟି ନ ଥିଲେ। ପରବର୍ତ୍ତୀ ସମୟରେ ସେହି ଭଙ୍ଗା ଫଳକ ସ୍ଥାନରେ କେବଳ ବିଧାୟକଙ୍କ ନାମ ଥିବା ଏକ ‘ଫ୍ଲେକ୍ସି ଫଳକ’ ତିଆରି କରି ଲଗାଯାଇଥିଲା ଏବଂ ବିଧାୟକ ସେଠାରେ ପହଞ୍ଚି ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି ଅବସରରେ ବିଧାୟକ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ “ମୁଁ ସାଧାରଣ ଜନସାଧାରଣଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି ଏବଂ ଏହି ଉନ୍ନୟନମୂଳକ କାର୍ଯ୍ୟକୁ କେହି ଅଟକାଇ ପାରିବେ ନାହିଁ। ଏହି ରାସ୍ତାରେ ନିୟମିତ ଦୁର୍ଘଟଣା ଘଟୁଥିବାରୁ ଏହାର ର୍ନିମାଣ ପାଇଁ ଲୋକେ ଦୀର୍ଘ ଦିନ ହେଲା ଚାହିଁ ରହିଥିଲେ। ଯେଉଁମାନେ ଏଭଳି ଭଙ୍ଗାରୁଜା କରିଛନ୍ତି ସେମାନେ ଗୋଟିଏ ଗୋଟିଏ ’ନକ୍ସଲ’ ଭଳି କାମ କରିଛନ୍ତି। ଜନତା ବିଶ୍ୱାସ କରି ଭୋଟ ଦେଇଛନ୍ତି, ତେଣୁ ସେମାନଙ୍କ ଆଶା ପୂରଣ କରାଯିବ। ଯେଉଁମାନେ ବିକାଶ କାର୍ଯ୍ୟକୁ ଭଣ୍ଡ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି ଏବଂ ଭାଜପାର ଏହି ଆନ୍ତରିକ କନ୍ଦଳ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।