Categories: ଖେଳ

ବଡ଼ ରେକର୍ଡ ହାସଲ କଲେ ଓ୍ବାର୍ନର: ବକ୍ସିଂ ଡେ’ ଟେଷ୍ଟରେ ରଚିଲେ ଇତିହାସ

ମେଲବୋର୍ନ,୨୬।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଏହି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଜିଠାରୁ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଅଷ୍ଟ୍ରେଲିଆର ଦୁଇ ଓପନର୍‌ ଡେଭିଡ ୱାର୍ନର ଏବଂ ଉସମାନ ଖ୍ବାଜା ନିଜ ଦଳକୁ ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ଏକ ବଡ଼ ଇନିଂସରେ ପରିଣତ କରିପାରି ନ ଥିଲେ। ମଧ୍ୟାହ୍ନ ଭୋଜନ ପୂର୍ବରୁ ଡେଭିଡ ୱାର୍ନର ୩୮ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ ଏବଂ ମଧ୍ୟାହ୍ନ ଭୋଜନ ପରେ ଖ୍ବାଜା ମଧ୍ୟ ୪୨ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ।
ତେବେ ଏହି ସର୍ଟ ଇନିଂସ ସହ ଡେଭିଡ ୱାର୍ନର ଏକ ବିରାଟ ରେକର୍ଡ ସୃଷ୍ଟି କରିଛନ୍ତି। ୱାର୍ନର ବର୍ତ୍ତମାନ ଅଷ୍ଟ୍ରେଲିଆ ପାଇଁ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ପାକିସ୍ତାନ ବିପକ୍ଷ ମେଲବୋର୍ନ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ୩୮ ରନ ସ୍କୋର କରି ୱାର୍ନର ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ଷ୍ଟିଭ ୱଙ୍କୁ ପଛରେ ପକାଇ ଦେଇଛନ୍ତି।
ୱାର୍ନର ସମସ୍ତ ଫର୍ମାଟକୁ ମିଶାଇ ଅଷ୍ଟ୍ରେଲିଆ ପାଇଁ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ଏହି ତାଲିକାରେ ୱାର୍ନରଙ୍କ ଆଗରେ କେବଳ ଅଷ୍ଟ୍ରେଲିଆର ସଫଳ ଅଧିନାୟକ ରିକି ପଣ୍ଟିଂ ଅଛନ୍ତି।

ପଣ୍ଟିଂ ତାଙ୍କ କ୍ୟାରିୟରରେ ମୋଟ ୫୫୯ ମ୍ୟାଚ ଖେଳି ହାରାହାରି ୪୫.୮୪ରେ ୨୭,୩୬୮ ରନ ସ୍କୋର କରିଥିଲେ। ଏହି ଅବଧିରେ ପଣ୍ଟିଂ ମୋଟ ୭୦ ଶତକ ଏବଂ ୧୪୬ ଅର୍ଦ୍ଧ ଶତକ ସ୍କୋର କରିଥିଲେ।
ୱାର୍ନର ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ମୋଟ ୩୭୧ ମ୍ୟାଚ ଖେଳିଛନ୍ତି ଏବଂ ହାରାହାରି ୪୨.୫୬ରେ ୧୮,୫୧୫ ରନ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ୱାର୍ନର ୪୯ ଶତକ ଏବଂ ୯୩ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ୱ ତାଙ୍କ କ୍ୟାରିୟରରେ ମୋଟ ୪୯୩ ମ୍ୟାଚ ଖେଳିଥିଲେ ଏବଂ ହାରାହାରି ୪୧.୬୫ରେ ୧୮,୪୯୬ ରନ ସ୍କୋର କରିଥିଲେ। ଏଥିରେ ୩୫ ଶତକ ଏବଂ ୯୫ ଅର୍ଦ୍ଧଶତକ ସାମିଲ ଅଛି।

Share