Categories: ଖେଳ

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪ା୮: ଏସିଆ କପ ଟି-୨୦ ଟୁର୍ନାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଐତିହାସିକ ମ୍ୟାଚ ଅଗଷ୍ଟ ୨୮ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚ ପାଇଁ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ ଉପରେ ସାରା ବିଶ୍ୱର ନଜର ରହିବ। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ରିକି ପଣ୍ଟିଂ ଏହି ମ୍ୟାଚ ବିଷୟରେ ଭବିଷ୍ୟବାଣୀ କରିଛନ୍ତି।
୨୦୨୧ରେ ୟୁଏଇରେ ହୋଇଥିବା ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନର ଦଳ ଶେଷ ଥର ପାଇଁ ଭେଟିଥିଲେ। ତା’ପରେ ଦୁବାଇରେ ଅନୁଷ୍ଠିତ ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ୧୦ ଉଇକେଟରେ ପରାସ୍ତ କରିଥିଲେ। ସେବେଠାରୁ ଭାରତୀୟ ଦଳ ନିଜ ଦଳରେ ଅନେକ ପରିବର୍ତ୍ତନ ଆଣିଛି। ଗତ ବର୍ଷ ଟି-୨୦ ବିଶ୍ୱକପ ପରଠାରୁ ଭାରତୀୟ ଦଳ ସମସ୍ତ ଟି-୨୦ ସିରିଜ ଜିତିଛି।
ପଣ୍ଟିଂ କହିଛନ୍ତି, ଗତ ବର୍ଷ ଟି-୨୦ ବିଶ୍ୱକପ ପରଠାରୁ ଭାରତୀୟ ଦଳର ବ୍ୟାଟିଂ ରେ ଦୃଢତା ଆସିଛି। ଏହା ଦଳ ପାଇଁ ଲାଭଦାୟକ ହେବ। କେବଳ ଏସିଆ କପ ନୁହେଁ, ଯେକୌଣସି ଟୁର୍ନାମେଣ୍ଟରେ ଭାରତକୁ ପରାସ୍ତ କରିବା ସବୁବେଳେ କଷ୍ଟସାଧ୍ୟ। ମୁଁ ଭାବୁଛି, ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ସମ୍ଭାବନା ଅଧିକ। ଭାରତ ମଧ୍ୟ ଏସିଆ କପ ଜିତିବ।
ଏସିଆ କପ ବିଷୟରେ କହିବାକୁ ଗଲେ ଭାରତ ଏବଂ ପାକିସ୍ତାନର ଦଳ ଏହି ଟୁର୍ନାମେଣ୍ଟରେ ୧୩ ଥର ମୁହାଁମୁହିଁ ହୋଇଛନ୍ତି। ଭାରତ ୭ଟି ମ୍ୟାଚ ଜିତିଥିବା ବେଳେ ପାକିସ୍ତାନ ୫ଟି ମ୍ୟାଚ ଜିତିଛି। ଗୋଟିଏ ମ୍ୟାଚର କୌଣସି ଫଳାଫଳ ଆସି ନ ଥିଲା।

Share