ହ୍ୟାକିଂ ପଛରେ ବଡ଼ ନେଟ୍‌ୱର୍କ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍‌) ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍ସଆପ୍‌ ହ୍ୟାକ୍‌ କରି ୫ଜଣ ସମ୍ପର୍କୀୟଙ୍କଠାରୁ ୭ ଲକ୍ଷ ଟଙ୍କା ଠକେଇ ଘଟଣାରେ ସମ୍ପୃକ୍ତ ନାଇଜେରିଆ ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଗିରଫ କରାଯିବା ପରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦିଲ୍ଲୀ ପୋଲିସ ଉକୁଉଦିରି ପାଶ୍ଚାଲଙ୍କୁ ବେଙ୍ଗାଲୁରୁରୁ ଗିରଫ ପରେ ୮ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି। ଏପଟେ ଓଡ଼ିଶାରୁ କ୍ରାଇମବ୍ରାଞ୍ଚର ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ୍‌ ଦିଲ୍ଲୀରେ ପହଞ୍ଚତ୍ ମଙ୍ଗଳବାରଠାରୁ ତାଙ୍କୁ ପଚରାଉଚରା ଚଳାଇଛି। ଜେରାବେଳେ ହ୍ୟାକିଂ ସମ୍ପର୍କିତ ଅନେକ ତଥ୍ୟ ମିଳିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା କହିଛନ୍ତି। ତାଙ୍କ ସୂଚନାନୁସାରେ, ଏହି ଠକେଇ ପଛରେ ଏକ ବଡ଼ ନେଟ୍‌ୱର୍କ ରହିଛି। ଗିରଫ ପାଶ୍ଚାଲ ଉକ୍ତ ନେଟ୍‌ୱର୍କର ଜଣେ ସଦସ୍ୟ ହୋଇଥିବାବେଳେ ଗ୍ୟାଙ୍ଗରେ ଅନେକ ନାଇଜେରିଆନ୍‌ ସାମିଲ ରହିଛନ୍ତି। ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ସେ ନାଇଜେରିଆରେ ରହି ପୂରା ନେଟ୍‌ଓ୍ବର୍କକୁ ପରିଚାଳନା କରୁଛନ୍ତି। ତେବେ ପାଶ୍କାଲ ଏଟିଏମ୍‌ରୁ ଟଙ୍କା କାଢ଼ିବା ଦାୟିତ୍ୱରେ ଥିଲେ। ସେଥିପାଇଁ ସେ ୧୦ ପ୍ରତିଶତ କମିଶନ୍‌ ନେଉଥିଲେ। ହ୍ବାଟ୍ସଆପ୍‌କୁ ଲିଙ୍କ୍‌ ପଠାଇବା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଅନେକ ନାଇଜେରିଆନ୍‌ ଜଡିତ ରହିଛନ୍ତି। ସେମାନେ ମଧ୍ୟ ବିଭିନ୍ନ କାର୍ଯ୍ୟ ପାଇଁ କମିଶନ ନେଉଛନ୍ତି। ସଦସ୍ୟମାନେ ମୁଖ୍ୟତଃ ବେଙ୍ଗାଲୁରୁ, ମୁମ୍ବାଇ ଓ ଦିଲ୍ଲୀରେ ରହି ହ୍ୟାକିଙ୍ଗ୍‌ କରୁଛନ୍ତି। ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ଅନେକ ସୂଚନା ମିଳିଛି। ତେବେ ଆଗାମୀ ଦିନରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏଡିଜି ପଣ୍ଡା କହିଛନ୍ତି। ଗତ ୧୦ ତାରିଖରେ ଏକ ଅଜଣା ନମ୍ବରରୁ ମନୋଜଙ୍କ ଫୋନ୍‌କୁ ଏକ କଲ୍‌ ଆସିଥିଲା। ହେଲେ ୩୦ ସେକେଣ୍ଡ ଧରି କେହି କିଛି ନ କହିବାରୁ ସେ ଉକ୍ତ କଲ୍‌କୁ କାଟି ଦେଇଥିଲେ। ପରେ ବ୍ୟକ୍ତିଜଣକ ମନୋଜଙ୍କ ହ୍ବାଟ୍ସଆପ୍‌ ନମ୍ବର ବ୍ୟବହାର କରି ୫ଜଣ ସମ୍ପର୍କୀୟଙ୍କଠାରୁ ୭ଲକ୍ଷ ଟଙ୍କା ମାଗି ନେଇଥିଲେ। ଏପରି ଠକେଇ ସଂକ୍ରାନ୍ତରେ ଜଣାପଡିବା ପରେ ମନୋଜ ଓ ଟଙ୍କା ଦେଇଥିବା କେତେଜଣ ଶହୀଦନଗର ଥାନାରେ ଏତଲା ଦେଇଥିଲେ। ତଦନ୍ତ ସମୟରେ ହ୍ବାଟ୍ସଆପ୍‌ ହ୍ୟାକ୍‌ କରାଯାଇ ଏପରି ଠକେଇ କରାଯାଇଥିବା ଜଣାପଡିଥିଲା। ପ୍ରଥମେ ଶହୀଦନଗର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ କ୍ରାଇମ୍‌ବ୍ରାଞ୍ଚ ନିଜ ଆଡୁ ମାମଲା (ନଂ.୨୫/୨୧) ରୁଜୁ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ପ୍ରଥମେ ସୂଚନା ମିଳିଥିଲା। କିନ୍ତୁ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସେଠାରେ ପହଞ୍ଚତ୍ବା ପରେ ନାଇଜେରିଆନ୍‌ ଗ୍ୟାଙ୍ଗ୍‌ର ଜଣେ ସଦସ୍ୟ ବା ଏଜେଣ୍ଟଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।