ଟିମ ଇଣ୍ଡିଆକୁ ବଡ଼ କ୍ଷତି: ଲଗାତାର ୨ ପରାଜୟ ପରେ…

ନୂଆଦିଲ୍ଲୀ,୨।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ୩-୨ରେ ଜିତିଥିଲେ ମଧ୍ୟ ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ଼ ଝଟକା। ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜୟ ଯୋଗୁ ଆଇସିସି ଟି-୨୦ ରାଙ୍କିଂରେ ଭାରତର ରେଟିଂ ପଏଣ୍ଟ ହ୍ରାସ ପାଇଛି। ଫଳରେ ଶୀର୍ଷ ସ୍ଥାନ ଦଖଲ କରିବାର ନିକଟତର ହୋଇଥିବା ଟିମ ଇଣ୍ଡିଆ ଏବେ ଇଂଲଣ୍ଡଠାରୁ ପଛରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ର ପ୍ରଥମ ତିନୋଟି ଟି-୨୦ ମ୍ୟାଚ୍‌ରେ ବିଜୟ ହାସଲ କରି ଭାରତୀୟ ଦଳ ଦମ୍‌ଦାର ପ୍ରଦର୍ଶନ କରିଥିଲା। ଏହି ବିଜୟ ପରେ ଆଇସିସି ଟି-୨୦ ରାଙ୍କିଂରେ ଭାରତର ରେଟିଂ ୨୬୯କୁ ବୃଦ୍ଧି ପାଇଥିଲା। ଇଂଲଣ୍ଡର ରେଟିଂ ମଧ୍ୟ ୨୬୯ ରହିଥିବାରୁ ଉଭୟ ଦଳ ସମାନ ସ୍ଥିତିରେ ଥିଲେ। ଆଉ ଗୋଟିଏ ବିଜୟ ହାସଲ କରିଥିଲେ ଭାରତ ରାଙ୍କିଂର ଶୀର୍ଷ ସ୍ଥାନକୁ ଉଠିବାର ସୁଯୋଗ ପାଇଥାନ୍ତା।
ତେବେ ସିରିଜ୍‌ର ଶେଷ ଦୁଇଟି ମ୍ୟାଚ୍‌ରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହାର ଫଳ ରାଙ୍କିଂରେ ଦେଖିବାକୁ ମିଳିଛି। ଭାରତର ରେଟିଂ ୨୬୯ରୁ ହ୍ରାସ ପାଇ ୨୬୭ରେ ପହଞ୍ଚିଛି। ଅନ୍ୟପଟେ ୨୬୯ ରେଟିଂ ସହ ଇଂଲଣ୍ଡ ଶୀର୍ଷ ସ୍ଥାନରେ ରହିଛି। ୨୬୦ ରେଟିଂ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ଅଛି।

ଭାରତୀୟ ଦଳ ଏବେ ତୁରନ୍ତ କୌଣସି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ନାହିଁ। ଡିସେମ୍ବର ଶେଷ ଭାଗରେ ଶ୍ରୀଲଙ୍କା ବିପକ୍ଷରେ ତିନିଟି ଟି-୨୦ ମ୍ୟାଚ ଖେଳିବ ଟିମ ଇଣ୍ଡିଆ। ତେଣୁ ଏହି ସିରିଜ୍‌ରେ ଭଲ ପ୍ରଦର୍ଶନ କରି ପୁଣି ଥରେ ଶୀର୍ଷ ସ୍ଥାନ ଦଖଲ କରିବାକୁ ଭାରତ ଚେଷ୍ଟା କରିବ।

ଟି-୨୦ ସିରିଜ ପରେ ଏବେ ଭାରତୀୟ ଦଳର ନଜର ଦିନିକିଆ ସିରିଜ ଉପରେ। ନଭେମ୍ବର ୪ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଆଇସିସି ଦିନିକିଆ ରାଙ୍କିଂରେ ଭାରତ ୧୧୫ ରେଟିଂ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ୧୦୯ ରେଟିଂ ସହ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ଅଛି। ତେଣୁ ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଦିନିକିଆ ସିରିଜ୍‌ରେ ଜୋରଦାର ମୁକାବିଲା ଦେଖିବାକୁ ମିଳିବ।

 

Dharitri – Odisha’s No.1 Odia Daily

 

Share