ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ବରିଷ୍ଠ ଆଇନଜୀବୀ ବିଜୟ ହଂସାରିଆ କହିଛନ୍ତି ଯେ, ୨୮ଟି ରାଜ୍ୟରୁ ୧୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ବିରୋଧରେ ଥିବା ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି। ଏଥିରେ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ୮୯ଟି ମାମଲା ସହ ତାଲିକାର ଶୀର୍ଷରେ ଥିବାବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ୨୯ଟି ମାମଲା ରହିଛି।
ରିପୋର୍ଟ ଅନୁସାରେ, ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀଙ୍କ ବିରୋଧରେ ୮୯ଟି ମାମଲା ରହିଛି ଏବଂ ସେ ଏହି ତାଲିକାର ଶୀର୍ଷରେ ଅଛନ୍ତି। ଏହା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ୨୯ଟି ମାମଲା ରହିଛି। କର୍ନାଟକର ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ୧୯ଟି ଲେଖାଏ ମାମଲା ରହିଛି। ସେହିପରି କେରଳର ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନଙ୍କ ବିରୋଧରେ ୧୮ଟି ମାମଲା ରହିଛି।
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ୫ଟି ମାମଲା ରହିଛି। ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନଭିସ ଏବଂ ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖୁଙ୍କ ବିରୋଧରେ ୪ଟି ଲେଖାଏ ମାମଲା ରହିଛି। ସେହିପରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଏବଂ ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବିରୋଧରେ ୨ଟି ଲେଖାଏ ମାମଲା ଥିବା ଦର୍ଶାଯାଇଛି।
ରିପୋର୍ଟରେ ସିକ୍କିମର ମୁଖ୍ୟମନ୍ତ୍ରୀ ପି.ଏସ. ତମାଙ୍ଗ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ବିରୋଧରେ ଗୋଟିଏ ଲେଖାଏ ମାମଲା ଥିବା ଉଲ୍ଲେଖ ରହିଛି।