ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ ପୋଲିସ ଅଧିକାରୀ ଶନିବାର ଏହା ପ୍ରକାଶ କରିଛନ୍ତି। ବିଭିନ୍ନ ରାଜ୍ୟରେ ଚାଲିଥିବା ଜାଲ୍ ସରକାରୀ ଓ୍ବେବ୍ସାଇଟ୍, ଆଲଗୋରିଦମ୍ ଆଧାରିତ ବ୍ୟବସାୟିକ ଜାଲିଆତି, ହାନିକାରକ ମୋବାଇଲ୍ ଆପ୍ଲିକେଶନ୍, ଓ୍ବାର୍କ ଫ୍ରମ୍ ହୋମ୍ ନାମରେ ଜାଲିଆତି ଏବଂ ଅନ୍ଲାଇନ ଆଧ୍ୟାତ୍ମିକ ଆରୋଗ୍ୟ ର଼୍ୟାକେଟ ଆଦି ସାଇବର ମଡ୍ୟୁଲ୍ଗୁଡ଼ିକୁ ଟାର୍ଗେଟ କରି କେନ୍ଦ୍ରୀୟ ଦିଲ୍ଲୀ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା। ଅଭିଯୁକ୍ତମାନଙ୍କୁ ରାଜସ୍ଥାନ, ପଞ୍ଜାବ, କର୍ନାଟକ, ମଧ୍ୟପ୍ରଦେଶ, ହରିୟାଣା ଓ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି।
ଏହି ଆନ୍ତଃରାଜ୍ୟ ସାଇବର ଜାଲିଆତି ନେଟ୍ଓ୍ବର୍କ ୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କାରବାର ସହ ଜଡ଼ିତ। ଚଢ଼ାଉ ବେଳେ କେତେକ ଲକ୍ଜୁରି ଗାଡ଼ି, ଇଲେକ୍ଟ୍ରୋନିକ୍ ଉପକରଣ, କ୍ରିପ୍ଟୋ କରେନ୍ସି ହାର୍ଡଓ୍ବେରଓ୍ବାଲେଟ୍, ଡେବିଟ୍ କାର୍ଡ ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ହସ୍ତଗତ ହୋଇଛି।
ସରକାରୀ ପୋର୍ଟାଲ ‘ପରିବହନ ଡଟ୍ ଅନ୍ଲାଇନ୍’ ଜାଲିଆତିରେ ବହୁ ମାମଲା ସମ୍ପୃକ୍ତ ଥିବା ଜଣାପଡ଼ିଛି। ପରିବହନ ବିଭାଗର ପୋର୍ଟାଲକୁ ନକଲ କରି କରାଯାଇଥିବା ଏହି ଓ୍ବେବ୍ସାଇଟ୍ ଜରିଆରେ ଗାଡ଼ି ସମ୍ପର୍କିତ ସେବା ଚାହୁଁଥିବା ଲୋକମାନଙ୍କଠାରୁ ଟଙ୍କା ଆଦାୟ ପାଇଁ ଏହି ଜାଲ୍ ଓ୍ବେବ୍ସାଇଟ୍କୁ ବ୍ୟବହାର କରାଯାଉଥିଲା।
ଏହି ମାମଲାରେ ପୋଲିସ ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରୁ ଏମ୍ସିଏ ସ୍ନାତକ ଅନଶୁଲ ଯାଦବ(୨୪)ଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଲାପ୍ଟପ୍, ମୋବାଇଲ୍ ଫୋନ୍ ଏବଂ ଜାଲ୍ ଓ୍ବେବ୍ସାଇଟ୍ ସହ ଜଡ଼ିତ ଫାଇଲ୍ ଜବତ କରିଛି। ୧୪ ହଜାରରୁ ଊର୍ଦ୍ଧ୍ୱ ଜାଲିଆତି କାରବାରରେ ଉକ୍ତ ର଼୍ୟାକେଟ ସମ୍ପୃକ୍ତ ଥିଲା। ୬୩୬ ଜଣ ଏହି ଜାଲିଆତିର ଶିକାର ହୋଇ ଟଙ୍କା ହରାଇଥିବା ପୋଲିସ କହିଛି।