ଜାଲରେ ପଡୁନାହାନ୍ତି ବଡ଼ ଇଲିଶି

ଭୋଗରାଇ, ୨୪।୯(ଡି.ଏନ.ଏ.)- କଥାରେ ଅଛି ଚାକିରି କରିବ ପୋଲିସ, ମାଛ ଖାଇବ ଇଲିଶି। ଇଲିଶି ନଁା ଶୁଣିଲେ ଆମିଷ ପ୍ରେମୀଙ୍କ ପାଟିରୁ ଲାଳ ଗଡ଼େ। ଇଲିଶି ମାଛର ସ୍ବାଦ ଅନ୍ୟ ମାଛଠାରୁ ନିଆରା ହୋଇଥିବାରୁ ଏହାର ଚାହିଦା ଅଧିକ। କିନ୍ତୁ ଏବେ ଏହି ଇଲିଶିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମତ୍ସ୍ୟଜୀବୀ। ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ବଡ଼ ଇଲିସି ଜାଲରେ ପଡ଼ୁ ନ ଥିବା ବେଳେ ଛୋଟ ଇଲିସି ଧରି ଯେନତେନ ସନ୍ତୁଷ୍ଟ ହେଉଛନ୍ତି ମାଛ ଧରାଳି।
ଲଘୁଚାପ ଜନିତ ଝିପିଝିପି ବର୍ଷା ଯୋଗୁ ଇଲିଶି ଏବେ ଉପକୂଳମୁହଁା। ବାଲେଶ୍ୱର ଉପକୂଳ ଉଦୟପୁର, ତାଳସାରୀ, ବିଚିତ୍ରପୁର, କୀର୍ତ୍ତନିଆ, ଚୌମୁଖ, ଡଗରା, ବାହାବଳପୁର, କଷାଫଳ ସମେତ ପଡ଼ୋଶୀ ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣି ଓ ଜୁନପୁଟ ମତ୍ସ୍ୟ ଅବତରଣ କେନ୍ଦ୍ରରେ ସପ୍ତାହେ ହେଲା ଛୋଟ ଇଲିସି ଆମଦାନୀ ହେଉଛି। ବଡ଼ ଇଲିସି ବଜାରକୁ କମ୍‌ ପରିମାଣର ଆସୁଛି। ଝଡ଼ବର୍ଷାକୁ ବେଖାତିର କରି ମତ୍ସ୍ୟଜୀବୀମାନେ ନିଜ ଜୀବନକୁ ବାଜି ଲଗାଇ ଟ୍ରଲର ଯୋଗେ ଗଭୀର ସମୁଦ୍ରରେ ଇଲିଶି ତଲାସୀ ଜାରି ରଖିଛନ୍ତି।
ମୌସୁମୀ ଓ ପୂର୍ବାଳି ବତାଶରେ ମାଏନ୍‌ମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ପ୍ରଚୁର ଇଲିଶି ଉପକୂଳ ସମୁଦ୍ର ଓ ନଦୀ ସଙ୍ଗମ ସ୍ଥଳକୁ ମଧୁର ଜଳ ପାନ କରିବା ସହ ଯାଆଁଳ ଛାଡ଼ିବାକୁ ଆସିଥାନ୍ତି। ଅନୁକୂଳ ଥିବାରୁ ମତ୍ସ୍ୟଜୀବୀମାନେ ଟ୍ରଲର ସାହାଯ୍ୟରେ ସମୁଦ୍ରରେ ଜାଲ ବିଛାଇ ଇଲିସି ଧରି କୂଳକୁ ଫେରୁଛନ୍ତି। ସହସ୍ରାଧିକ ମାଛଧରା ଟ୍ରଲର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ସମୁଦ୍ରକୁ ଯାଉଛି ଓ ମାଛ ଧରି ଫେରୁଛି। ଜାଲରେ ଛୋଟ ଇଲିଶି ପଡୁଥିବାରୁ ହାଟବଜାରରେ ଏହାର ଦାମ୍‌ ହ୍ରାସ ପାଇଛି। ୫ଶହ ଗ୍ରାମରୁ କମ୍‌ ଓଜନର ଇଲିଶି କିଲୋ ପ୍ରତି ୨୦୦ରୁ ୩୦୦ଟଙ୍କାରେ ବିକ୍ରି ହେଉଥିବା ବେଳେ ୫୦୦ଗ୍ରାମରୁ ଊର୍ଦ୍ଧ୍ୱ ବଡ଼ ଇଲିଶି ୫ଶହରୁ ୧ହଜାର ଟଙ୍କାରେ ବିକ୍ରି ହେଉଛି। ସହସ୍ରାଧିକ ମାଛଧରା ଟ୍ରଲରର ଗୁରୁଗର୍ଜନ ଓ ନଦୀ କୂଳରେ ଗଢ଼ି ଉଠିଥିବା କଳକାରଖାନାର ନିର୍ଗତ ଦୂଷିତ ଜଳ ସମୁଦ୍ରକୁ ନିଷ୍କାସିତ ହେଉଥିବାରୁ ବଡ଼ ଇଲିସି ଆଶାତୀତ ଭାବେ କୂଳକୁ ଆସୁ ନ ଥିବା ମତ୍ସ୍ୟଜୀବୀ ଓ ସମୁଦ୍ରବିଜ୍ଞାନୀମାନେ କହିଛନ୍ତି। ବିଗତ ୩ବର୍ଷ ହେଲା ବଡ଼ ଇଲିଶି ମତ୍ସ୍ୟଜୀବୀଙ୍କ ଜାଲରେ ଧରା ପଡ଼ୁ ନ ଥିବା ବେଳେ ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ପରିମାଣର ଇଲିଶି ଧରିବା ଲାଗି ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ଆଶା ବାନ୍ଧିଛନ୍ତି। ପାଗ ଏପରି ଅପରିବର୍ତ୍ତିତ ରହିଲେ ପ୍ରଚୁର ଇଲିଶି ଧରାଯିବ ବୋଲି ଟ୍ରଲର ମାଲିକ ଯୋଗେନ୍ଦ୍ର ଗଙ୍ଗେଇ କହିିଛନ୍ତି। ତେବେ ଛୋଟ ଇଲିଶି ଧରିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଥିଲେ ମଧ୍ୟ ମତ୍ସ୍ୟଜୀବୀମାନେ ଜୀବନଜୀବିକା ନିମନ୍ତେ ଛୋଟ ଇଲିଶି ଧରୁଥିବା ଭୋଗରାଇ ମତ୍ସ୍ୟ ବିଭାଗର ସହ ଅଧିକାରୀ ଅନନ୍ତ ଜେନା ପ୍ରକାଶ କରିଛନ୍ତି।