ବିଚାର ବିଭ୍ରାଟ

ଜନାର୍ଦ୍ଦନ ପତି

 

୧୯୮୯ରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପାଲାମପୁର ଅଧିବେଶନରେ ଅଯୋଧ୍ୟାର ରାମମନ୍ଦିର ଭଳି ଧର୍ମୀୟ ବିଷୟକୁ ରାଜନୈତିକ ପ୍ରସଙ୍ଗରେ ପରିଣତ କରି ଏହି ଦଳ ଦେଶର ରାଜନୀତିରେ ପ୍ରମୁଖ ଶକ୍ତିଭାବେ ନିଜକୁ ପ୍ରତିପାଦିତ କରିପାରିଥିଲା। ୧୯୯୦ ଡିସେମ୍ବର ୨୫ ରେ ଭାଜପା ନେତା ଲାଲ୍‌କୃଷ୍ଣ ଆଡ୍‌ଭାନୀଙ୍କ (ଟୟୋଟା ଟ୍ରକ୍‌) ରଥଯାତ୍ରା ସୋମନାଥ ମନ୍ଦିରଠାରୁ ବାହାରିବା ମଧ୍ୟ ପ୍ରମାଣ କଲା ଯେ, ଭାଜପା ଦେଶର ମୁଖ୍ୟ ଆର୍ଥିକ ଓ ସାମାଜିକ ପ୍ରସଙ୍ଗକୁ ପଛରେ ପକାଇ ଧର୍ମୀୟ ପ୍ରସଙ୍ଗକୁ ରାଜନୈତିକ ରୂପ ଦେବାକୁ ସିଦ୍ଧାନ୍ତ ଗ୍ରହଣ କରିଛି। ଆଡ୍‌ଭାନୀଙ୍କ ରଥଯାତ୍ରା ଅବଶ୍ୟ ଦଙ୍ଗାଯାତ୍ରାରେ ପରିଣତ ହୋଇଥିଲା। ଏହି ପଟ୍ଟଭୂମିରେ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସରକାର ୧୯୯୧ରେ ଏକ ନୂଆ ଆଇନ ଆଣିଲେ। ସେଥିରେ କୁହାଗଲା ଯେ, ୧୯୪୭ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବିଭିନ୍ନ ଧର୍ମର ଉପାସନାପୀଠର ଅଧିକାର ଯେଭଳି ଥିଲା, ତାହା ଅପରିବର୍ତ୍ତନୀୟ ରହିବ। କୌଣସି ଧର୍ମପୀଠର କର୍ତ୍ତୃତ୍ୱକୁ ପରିବର୍ତ୍ତନ କରାଯିବନାହିଁ। ଏପରି ଏକ ଆଇନ ଅଣାଯିବା ସତ୍ତ୍ୱେ ବି ବାବ୍ରି ମସ୍‌ଜିଦ୍‌କୁ ୧୯୯୨ ଡିସେମ୍ବର ୬ ରେ ଭାଙ୍ଗି ମାଟିରେ ମିଶାଇ ଦିଆଗଲା। ଭାରତର ପାର୍ଲାମେଣ୍ଟ, ଭାରତର ସମ୍ବିଧାନ, ଭାରତ ସରକାରଙ୍କ ସମସ୍ତ କ୍ଷମତାକୁ ବିଦ୍ରୂପ କରି ଉଗ୍ର ହିନ୍ଦୁତ୍ୱବାଦୀ ଶକ୍ତି ନିଜର ହିଂସ୍ରତା ପ୍ରଦର୍ଶନ କରିଥିଲେ। ଉତ୍ତରପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ସୁପ୍ରିମ୍‌କୋର୍ଟରେ ହଲପ୍‌ନାମା ଦାଖଲ କରି କହିଥିଲେ ଯେ, ଉତ୍ତରପ୍ରଦେଶ ସରକାର ବାବ୍ରି ମସ୍‌ଜିଦ୍‌କୁ ଭାଙ୍ଗିବାକୁ ଦେବନାହିଁ। ମାତ୍ର ସେ ଶଠତା ଆଚରଣ କରି ନିଜେ ଦେଇଥିବା ହଲପ୍‌ନାମା ବିରୋଧରେ କାମ କଲେ।
ବାବ୍ରି ମସ୍‌ଜିଦ୍‌ ଭାଙ୍ଗିଲା ପରେ ବି ବିବାଦ ତୁଟିଲା ନାହିଁ। ତା’ପରେ ପ୍ରଶ୍ନ ଆସିଲା ରାମମନ୍ଦିର ନିର୍ମାଣର। ଏଇଟା କ’ଣ କେବଳ ଅଯୋଧ୍ୟାର ରାମମନ୍ଦିର ପ୍ରଶ୍ନ କି? ଭାରତର ସବୁ ମସ୍‌ଜିଦ୍‌ ତଳେ ମନ୍ଦିର ଅଛି ବୋଲି ହିନ୍ଦୁମାନେ ଦାବି କରୁଛନ୍ତି। ଭାରତକୁ ମୁସଲମାନ୍‌ମାନେ ଆକ୍ରମଣ କଲାବେଳେ ହିନ୍ଦୁ ମନ୍ଦିର ଯେ ଭଙ୍ଗାଯାଇଛି, ତାହା ସଂପୂର୍ଣ୍ଣ ଅସତ୍ୟ ନୁହେଁ। ମାତ୍ର ଏହାର ଅର୍ଥ ନୁହେଁ ଯେ, ଭାରତରେ ଯେତେ ମସ୍‌ଜିଦ୍‌ ନିର୍ମାଣ ହୋଇଛି, ସେସବୁ ମନ୍ଦିର ଉପରେ ନିର୍ମାଣ କରାଯାଇଛି।
ଶହ ଶହ ବର୍ଷ ତଳର ଘଟଣାକୁ କ’ଣ ଆଜି ବଦଳାଇହେବ? ଭାରତରେ ଆଜି କୌଣସି ବୌଦ୍ଧ ମନ୍ଦିର ଦେଖିବାକୁ ମିଳୁନାହିଁ, କାହିଁକି? କାରଣ ସେ ସବୁକୁ ଧ୍ୱଂସ କରିଦିଆଯାଇଛି।
ଏହି ପଟ୍ଟଭୂମିରେ ବିଚାରାଳୟର ଭୂମିକା କ’ଣ ହୋଇଛି? ତାହା ହିଁ ମୁଖ୍ୟ ପ୍ରଶ୍ନ। ବାବ୍ରି ମସ୍‌ଜିଦ୍‌-ରାମମନ୍ଦିର ସମ୍ପର୍କରେ ଆଲ୍ଲାହାବାଦ ହାଇକୋର୍ଟ ରାୟ ଦେଲେ ଯେ, ଯେହେତୁ ହିନ୍ଦୁମାନଙ୍କର ବିଶ୍ୱାସ ସେଠାରେ ରାମମନ୍ଦିର ଥିଲା, ତେଣୁ ସେ ସ୍ଥାନରେ ରାମମନ୍ଦିର ନିର୍ମାଣ ହେଉ। ଅଦାଲତ ପ୍ରମାଣକୁ ଭିତ୍ତି ନ କରି ବିଶ୍ୱାସକୁ ଆଧାର କରି ରାୟ ପ୍ରଦାନ କରିଥିଲେ।
ସୁପ୍ରିମ୍‌କୋର୍ଟ କ’ଣ କହିଥିଲେ? ୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ବେଞ୍ଚ୍‌ରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ବୋବ୍‌ଡେ, ବିଚାରପତି ଡକ୍ଟର ଡି.ୱାଇ. ଚନ୍ଦ୍ରଚୂଡ଼, ବିଚାରପତି ଅଶୋକ ଭୂଷଣ ଓ ବିଚାରପତି ଅବ୍‌ଦୁଲ ନଜିର ପ୍ରମୁଖ ଥିଲେ। ସେମାନେ ୧୯୯୧ର ଉପାସନାପୀଠ (ସ୍ପେଶାଲ ପ୍ରୋଭିଜନ) ଆଇନକୁ ତର୍ଜମାକରି ଯେଉଁ ଘୋଷଣା କଲେ, ତାହା ସମ୍ବିଧାନର ୧୪୧ ଧାରା ଅନୁସାରେ ସମଗ୍ର ଦେଶ ତଥା ସମଗ୍ର ଅଦାଲତ ପାଇଁ ପ୍ରଯୁଜ୍ୟ, ଏପରିକି ସୁପ୍ରିମକୋର୍ଟ ଲାଗି ମଧ୍ୟ। ସାମ୍ବିଧାନିକ ବେଞ୍ଚ୍‌ ଘୋଷଣା କଲେ ଯେ, ୧୯୯୧ ଆଇନର ଉଦ୍ଦେଶ୍ୟ ଥିଲା କୌଣସି ଉପାସନାପୀଠକୁ ପରିବର୍ତ୍ତନ ନ କରିବା ପାଇଁ। ୧୯୪୭ ଅଗଷ୍ଟ ୧୫ ପର୍ଯନ୍ତ ଯେଉଁ ଉପାସନା ପୀଠ ଯେପରି ଥିବ ତାକୁ ସେହିପରି ଭାବେ ରକ୍ଷଣାବେକ୍ଷଣ କରିବାକୁ ହେବ।
ସୁପ୍ରିମ୍‌କୋର୍ଟଙ୍କ ଏହି ରାୟ ସମସ୍ତ ଅଦାଲତ ପ୍ରତି ଲାଗୁହେଲେ ହେଁ ଆଲ୍ଲାହାବାଦ୍‌ ହାଇକୋର୍ଟ ବିଚାରପତି ଡି.ଭି. ଶର୍ମା ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଖଣ୍ଡନ କରି କହିଲେ, ଉପରୋକ୍ତ ଆଇନ ସବୁକ୍ଷେତ୍ରରେ ଲାଗୁ ହେବନାହିଁ।
ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ଭିତରେ ଶିବଲିଙ୍ଗ ଅଛି ଦର୍ଶାଇ ଶ୍ରୀ ଜୈନ ଜିଲା ଜଜ୍‌ ଅଦାଲତରେ କେସ୍‌ ଦାଏର କଲେ। ମୁସ୍‌ଲିମ୍‌ଙ୍କ ପକ୍ଷରୁ ଏହାର ବିରୋଧ କରି ଅଦାଲତରେ ପିଟିଶନ ଫାଇଲ କରାଗଲା। ମାତ୍ର ଆଲ୍ଲାହାବାଦ ହାଇକୋର୍ଟ ଓ ଏପରିକି ସୁପ୍ରିମକୋର୍ଟ ଜିଲା ଜଜ୍‌ଙ୍କ ରାୟକୁ ରୋକିଲେ ନାହିଁ। ୨୦୧୯ରେ ପାଞ୍ଚଜଣିଆ ସାମ୍ବିଧାନିକ ବେଞ୍ଚ୍‌ ଯେଉଁ ରାୟ ଦେଇଥିଲା ଓ ସେହି ବେଞ୍ଚ୍‌ରେ ଡି.ୱାଇ. ଚନ୍ଦ୍ରଚୂଡ ସଭ୍ୟ ଥିଲେ ହେଁ ସେହି ରାୟକୁ ଅବମାନନା କରାଯାଇ ଜ୍ଞାନବାପି ମସ୍‌ଜିଦ୍‌ରେ ସର୍ଭେ ଚାଲିଲା।
‘ଇଡି’ର ଡାଇରେକ୍ଟର ସଞ୍ଜୟ ମିଶ୍ରଙ୍କ ଚାକିରିକାଳ ବାରମ୍ବାର ବୃଦ୍ଧି କରାଯାଇଛି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଯୋଗୁ। ସଞ୍ଜୟ ଏହି ପଦବୀରେ ସର୍ବାଧିକ ଦୁଇବର୍ଷ ରହିବା କଥା। ୨୦୧୮ ନଭେମ୍ବରରେ ସେ ନିଯୁକ୍ତି ପାଇଥିଲେ, ମାତ୍ର ବାରମ୍ବାର ତାଙ୍କ ଚାକିରିକାଳକୁ ବଢ଼ାଯାଇଛି। ଏହି ବର୍ଦ୍ଧିତ ଚାକିରିକାଳ ବେଆଇନ ବୋଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଲେ ବି ପୁଣି ତାଙ୍କର ଚାକିରିକାଳକୁ ୪୫ ଦିନ ବଢ଼ାଇଦେଲେ ସୁପ୍ରିମକୋର୍ଟର ଆଉଜଣେ ବିଚାରପତି। ଏହା କି ପ୍ରକାର ବ୍ୟବସ୍ଥା?
ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଗୁରୁତର ଯୌନ ଅତ୍ୟାଚାର ଅଭିଯୋଗ କରାଗଲେ ବି ଅଦାଲତ ତାଙ୍କୁ ଜେଲକୁ ନ ପଠାଇ ଜାମିନ ଦେଇଦେଲେ। ଏହି ଯୌନଅପରାଧୀ ବିରୋଧରେ ସାରା ଦେଶରେ ପ୍ରତିବାଦ ଦେଖାଦେବା ସତ୍ତ୍ୱେ ଏତେବଡ଼ ଅପରାଧୀଙ୍କୁ ଅଦାଲତ ଓ ପୋଲିସ ସୁରକ୍ଷାଦେବା ବିଡ଼ମ୍ବନାର ବିଷୟ ନୁହେଁ କି?
ସୁପ୍ରିମ୍‌କୋର୍ଟ ଦେଶର କେବଳ ଏକ ଅଦାଲତ ନୁହେଁ, ଏହା ସମ୍ବିଧାନ ଓ ଆଇନର ରକ୍ଷାକବଚ। ସୁପ୍ରିମ୍‌କୋର୍ଟ ଅତୀତରେ ଅନେକ ରାୟ ପ୍ରକାଶ କରିଛନ୍ତି, ଯାହାକି ଗଣତନ୍ତ୍ର ପ୍ରତି ନିରାପଦ ନୁହେଁ। ତେବେ ବି ଅନେକ ରାୟକୁ ଦେଶବାସୀ ସ୍ବାଗତ କରିଛନ୍ତି। ବର୍ତ୍ତମାନ ନିର୍ବାଚନ ବଣ୍ଡ୍‌, ପି.ଏମ୍‌. କେୟାର ଫଣ୍ଡ୍‌ ଓ ଧାରା ୩୭୦ ଭଳି ଅନେକ ଅତି ଗୁରୁତ୍ୱପୂର୍ଣ୍ଣ କେସ୍‌ର ରାୟ ପ୍ରକାଶ ପାଇନାହିଁ। ବିଚାରପତିମାନେ ସମ୍ବିଧାନ ଓ ଆଇନର ରକ୍ଷକ ଭାବେ କାମ କଲେ ହିଁ ଭାରତରେ ଗଣତନ୍ତ୍ର ତିଷ୍ଠି ରହିବ।
ମୋ-୯୪୩୭୦୦୭୭୭୦


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri