Categories: ଜାତୀୟ

ପିଏଫ୍‌ଆଇ ଟାର୍ଗେଟରେ ଥିଲା ପ୍ରଧାନମନ୍ତ୍ରୀଙ୍କ ପାଟନା ରାଲି: ସାମ୍ନାକୁ ଆସିଲା ଏନ୍‌ଆଇଏର ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ,୨୪।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ପପୁଲାର୍‌ ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫ୍‌ଆଇ) ସମ୍ପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି। ଅଧିକାରୀମାନେ ଦାବି କରିଛନ୍ତି ଯେ, ଚଳିତ ବର୍ଷ ଜୁଲାଇରେ ବିହାରର ରାଜଧାନୀ ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିବା ପାଇଁ ପିଏଫ୍‌ଆଇ ଏକ ବଡ଼ ଧରଣର ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ ସଂଗଠନ ପାଟନାରେ ଏକ ପ୍ରଶିକ୍ଷଣ ଶିବିର ମଧ୍ୟ ଆୟୋଜନ କରିଥିଲା। ଏଥିରେ ଅନେକ ସଦସ୍ୟଙ୍କୁ ତାଲିମ ଦେବା କାର୍ଯ୍ୟ ମଧ୍ୟ କରିଥିଲା। କେବଳ ଏତିକି ନୁହେଁ, ଆର୍ଥିକ ସହାୟତା ପାଇଁ ଏeନକ ବିଦେଶୀ ମଧ୍ୟ ଯୋଗାଯୋଗରେ ଥିଲେ। ମୋଦିଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆକ୍ରମଣ ନୁହେଁ ବରଂ ପିଏଫ୍‌ଆଇ ଅନ୍ୟ ଆକ୍ରମଣ ପାଇଁ ମଧ୍ୟ ଆତଙ୍କବାଦୀ ମଡ୍ୟୁଲ ପ୍ରସ୍ତୁତ କରୁଥିଲା। ଶନିବାର ଏନ୍‌ଆଇଏ ପକ୍ଷରୁ କେରଳରୁ ଗିରଫ ହୋଇଥିବା ପିଏଫ୍‌ଆଇର ସଦସ୍ୟ ଶଫିଫ୍‌ ପୈଠଙ୍କୁ ପଚାରାଉଚରା କରିବା ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଏନ୍‌ଆଇଏ ଓ ଇଡି ୧୫ଟି ରାଜ୍ୟର ୯୬ସ୍ଥାନରେ ୧୦୬ଜଣ ପିଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରିଥିଲା।

Share