ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍ଡିଟିଏଲ୍)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍ ଇନଭେଷ୍ଟିଗେଶନ ନେଟଓ୍ୱର୍କ (ଜିଏଆଇଆଇଏନ୍)ର ଅନ୍ତିମ ସମ୍ମିଳନୀ ପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓ୍ୱାଲର୍ଡ ଆଣ୍ଟି-ଡୋପିଂ ଏଜେନ୍ସି (ଓ୍ୱାଡା) ସଭାପତି ଓ୍ୱିଟୋଲ୍ଡ ବାଙ୍କା ଏହା କହିଛନ୍ତି।
୧୯୯୦ରେ ପ୍ରତିଷ୍ଠିତ ଏନ୍ଡିଟିଏଲ୍ ଓ୍ୱାଡା ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଶ୍ୱର ୨୯ ଲାବୋରେଟୋରୀ ମଧ୍ୟରୁ ଅନ୍ୟତମ। ଏସିଆ ମହାଦେଶରେ ଭାରତ ବ୍ୟତୀତ ଏଭଳି ୫ଟି ଲାବୋରେଟୋରୀ ଚାଇନା, ଜାପାନ, ଦକ୍ଷିଣ କୋରିଆ, କାଟାର ଓ ଥାଇଲାଣ୍ଡରେ ରହିଛି। ଭାରତରେ ସଂଗ୍ରହ କରାଯାଉଥିବା ନମୁନାର ଟେଷ୍ଟିଂ କରିବା ସହ ଏନ୍ଡିଟିଏଲ୍ ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଦକ୍ଷିଣ ଏସିଆ ଦେଶମାନଙ୍କର ଟେଷ୍ଟିଂ କରିଥାଏ। କାରଣ ସେହି ଦେଶରେ ଓ୍ୱାଡା ସ୍ୱୀକୃତିପ୍ରାପ୍ତ ଲାବୋରେଟୋରୀ ନାହିଁ।
ଏନ୍ଡିଟିଏଲ୍ ଓ୍ୱାଡା ସ୍ୱୀକୃତିପ୍ରାପ୍ତ ଏବଂ ଲ୍ୟାବର ପ୍ରଦର୍ଶନକୁ ମୂଲ୍ୟାଙ୍କନ କରାଯିବା ଏକ ରୁଟିନ ପ୍ରକ୍ରିୟା। ସ୍ୱୀକୃତିପ୍ରାପ୍ତ ଅଧିକାରୀମାନେ ଯାଞ୍ଚ କରିବେ ବୋଲି ସୂତ୍ରରୁ କୁହାଯାଇଛି। ତେବେ ଓ୍ୱାଡା ଅଧିକାରୀଙ୍କ ପକ୍ଷରୁ ୨୦୧୯ରେ କରାଯାଇଥିବା ଏକ ପରିଦର୍ଶନ ପରେ ଏନ୍ଡିଟିଏଲ୍କୁ ୨ ବର୍ଷ ଲାଗି ଅର୍ଥାତ ୨୦୨୧ ପର୍ଯ୍ୟନ୍ତ ବାସନ୍ଦ କରାଯାଇଥିଲା।