ଆଇସିସି ଟି-୨୦ ରାଙ୍କିଂରେ ବଡ଼ ପରିବର୍ତ୍ତନ: ପଛରେ ପଡ଼ିଗଲା ଟିମ୍‌ଇଣ୍ଡିଆ

ନୂଆଦିଲ୍ଲୀ,୨୫।୧୧: ଆଇସିସି ଟି-୨୦ ରାଙ୍କିଂରେ ପୁଣି ଦେଖିବାକୁ ମିଳିଛି ଓଲଟପାଲଟ। ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡ ୮ ଉଇକେଟ୍‌ରେ ବିଜୟୀ ହେବା ପରେ ଏହାର ରାଙ୍କିଂ ରେଟିଂ ବୃଦ୍ଧି ପାଇଛି। ଫଳରେ ପୂର୍ବରୁ ଭାରତ ସହ ସମାନ ସ୍ଥାନରେ ଥିବା ଇଂଲଣ୍ଡ ଏବେ ଭାରତକୁ ପଛରେ ପକାଇ ଆଗକୁ ବଢ଼ିଛି। ଇଂଲଣ୍ଡ ଦଳ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଛି। ସିରିଜ୍‌ର ପ୍ରଥମ ମ୍ୟାଚକୁ ଅଷ୍ଟ୍ରେଲିଆ ୩ ଉଇକେଟ୍‌ରେ ଜିତିଥିବାବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୮୪ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ମାତ୍ର ୧୩.୧ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଫିଲ ସଲ୍ଟ ୩୦ ବଲ୍‌ରୁ ୫୮ ରନ କରିଥିବା ବେଳେ ଏନ୍ୟୁରିନ ଡୋନାଲ୍ଡ ମାତ୍ର ୩୨ ବଲ୍‌ରୁ ୮୫ ରନର ବିସ୍ଫୋରକ ପାଳି ଖେଳିଥିଲେ। ତାଙ୍କ ଇନିଂସ୍‌ରେ ୯ଟି ଛକା ସାମିଲ ଥିଲା।

ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ପରେ ଆଇସିସି ଟି-୨୦ ରାଙ୍କିଂରେ ଇଂଲଣ୍ଡର ରେଟିଂ ୨୬୭ରୁ ବୃଦ୍ଧି ପାଇ ୨୬୮ ହୋଇଛି। ଏହା ସହ ଦଳ ନିଜର ଏକ ନମ୍ବର ସ୍ଥାନ ବଜାୟ ରଖିଛି। ଅନ୍ୟପଟେ ଭାରତର ରେଟିଂ ୨୬୭ ରହିଛି। ଏହି ମ୍ୟାଚ ପୂର୍ବରୁ ଉଭୟ ଦଳର ରେଟିଂ ସମାନ ଥିଲା। କିନ୍ତୁ ଇଂଲଣ୍ଡର ବିଜୟ ପରେ ଏବେ ଦୁଇ ଦଳ ମଧ୍ୟରେ ଗୋଟିଏ ପଏଣ୍ଟର ବ୍ୟବଧାନ ସୃଷ୍ଟି ହୋଇଛି। ଏହି ରାଙ୍କିଂରେ ଅଷ୍ଟ୍ରେଲିଆ ୨୬୦ ରେଟିଂ ସହ ତୃତୀୟ ସ୍ଥାନରେ ରହିଛି।

 

Dharitri – Odisha’s No.1 Odia Daily

 

Share