ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ ବିଦ୍ରୋହୀ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ‘ଅପରେଶନ ଟାଇଗର’ ଏବେ ସମ୍ପୂର୍ଣ୍ଣ ହେଲା ବୋଲି ଶିନ୍ଦେ ସୋମବାର ଘୋଷଣା କରିଛନ୍ତି। ଉଦ୍ଧବଙ୍କ ଦଳରେ ଏହା ଦ୍ୱିତୀୟ ବିଭାଜନ।
ବିଦ୍ରୋହୀ ଏମ୍‌ପିମାନେ ୫ ଦିନ ପୂର୍ବରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ଶିବସେନା(ୟୁବିଟି)ର ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ଦଳ ବୈଠକରେ ଯୋଗଦେଇ ନ ଥିଲେ। ସୋମବାର ଶିନ୍ଦେ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେମାନେ ଶିବସେନାରେ ଯୋଗ ଦେଇଛନ୍ତି। ଏବେ ଉଦ୍ଧବଙ୍କ ଗୋଷ୍ଠୀରେ ମାତ୍ର ୩ ଜଣ ଲୋକ ସଭା ସଦସ୍ୟ ରହିଛନ୍ତି। ଶିବସେନା(ୟୁବିଟି) ଛାଡ଼ି ଶିବସେନାରେ ଯୋଗ ଦେଇଥିବା ଏମ୍‌ପିମାନେ ହେଲେ ସଞ୍ଜୟ ଦେଶମୁଖ (ୟାଭାତମାଲ), ସଞ୍ଜୟ ଯାଦବ (ପରଭଣି), ସଞ୍ଜୟ ଦିନା ପାଟିଲ (ମୁମ୍ବାଇ ଉତ୍ତରପୂର୍ବ), ନଗେଶ ପାଟିଲ-ଆସ୍ତିକର(ହିଙ୍ଗୋଲି), ଓମ୍‌ପ୍ରକାଶ ରାଜେନିମ୍ବଲକର(ଧରାଶିବ) ଏବଂ ଭାଉସାହେବ ଓ୍ବାକ୍‌ଚୌରେ (ଶିରିଡ଼ି)।
ଅପରେଶନ ଟାଇଗର ଏବେ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି ବୋଲି ଶିନ୍ଦେ ଘୋଷଣା କରିବା ସହ ଏମ୍‌ପି ସଂଖ୍ୟାରେ ଶିବସେନା ମହାରାଷ୍ଟ୍ରରେ ଦ୍ୱିତୀୟ ବୃହତ୍‌ ଦଳ ବୋଲି କହିଛନ୍ତି। ଠାକରେଙ୍କ କ୍ୟାମ୍ପରୁ ଏମ୍‌ପିମାନଙ୍କୁ ଆଣିବା ପାଇଁ ଚାଲିଥିବା ଅଭିଯାନର ନାଁ ଶିବସେନା ଅପରେଶନ ଟାଇଗର ରଖିଥିଲା। ଏହି ବିଦ୍ରୋହୀ ଏମ୍‌ପିମାନେ ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ଏବଂ ଶିବସେନା ପ୍ରାର୍ଥୀଙ୍କ ବିରୋଧରେ ଲଢ଼ି ଜିତିଥିଲେ। ଏବେ ଶିବସେନାରେ ୬ ଏମ୍‌ପିଙ୍କ ଯୋଗଦାନ ଯୋଗୁ ମହାରାଷ୍ଟ୍ରର ଶାସକ ମହାମେଣ୍ଟରେ ଶିନ୍ଦେଙ୍କ ମୂଲଚାଲ କ୍ଷମତା ବଢ଼ିବ ବୋଲି ଆଶା କରାଯାଉଛି।

 

Dharitri – Odisha’s No.1 Odia Daily

 

Share