ନୂଆଦିଲ୍ଲୀ,୨୩।୭:ଦୀର୍ଘ ପାଞ୍ଚ ବର୍ଷ ପରେ ଭାରତ ସରକାର ଚାଇନା ନାଗରିକଙ୍କୁ ପର୍ଯ୍ୟଟନ ଭିଜା ପ୍ରଦାନ କରିବା ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟା ୨୪ ଜୁଲାଇ, ୨୦୨୫ରୁ ପୁନଃଆରମ୍ଭ ହେବ। ବେଜିଂରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ, ୨୦୨୦ ମାର୍ଚ୍ଚରେ କୋଭିଡ -୧୯ ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସମସ୍ତ ପର୍ଯ୍ୟଟନ ଭିଜାକୁ ଅସ୍ଥାୟୀ ଭାବରେ ସ୍ଥଗିତ କରିଥିଲା। ସେବେଠାରୁ ଚାଇନା ନାଗରିକଙ୍କ ପାଇଁ ଭିଜା ସେବା ବନ୍ଦ ଥିଲା।
ଦୂତାବାସ ସ୍ପଷ୍ଟ କରିଛି ଯେ, ବେଜିଂରେ ଥିବା ଭାରତୀୟ ଭିଜା କେନ୍ଦ୍ରରେ ପାସପୋର୍ଟ ଫେରସ୍ତ ପାଇଁ ଆବେଦନ କରିବା ସମୟରେ ଏକ ସଠିକ ଦସ୍ତଖତଯୁକ୍ତ ‘ପାସପୋର୍ଟ ପ୍ରତ୍ୟାହାର ପତ୍ର’ ବାଧ୍ୟତାମୂଳକ ହେବ। କୋଭିଡ-୧୯ ମହାମାରୀ ଏବଂ ଜୁନ ୨୦୨୦ରେ ଗଲୱାନ ଉପତ୍ୟକାରେ ଭାରତ ଏବଂ ଚାଇନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଯାତ୍ରା ଏବଂ ପାରସ୍ପରିକ ଯୋଗାଯୋଗ ପ୍ରାୟ ସ୍ଥଗିତ ହୋଇଯାଇଥିଲା। ବିଗତ ବର୍ଷଗୁଡ଼ିକରେ, ଚାଇନା ଭାରତୀୟ ଛାତ୍ର ଏବଂ ବ୍ୟବସାୟୀଙ୍କୁ ଭିଜା ଦେବା ଆରମ୍ଭ କରିଥିଲା, କିନ୍ତୁ ସାଧାରଣ ଯାତ୍ରା ଉପରେ ପ୍ରତିବନ୍ଧକ ଜାରି ରହିଥିଲା।
ଏବେ ଭାରତ ଏବଂ ଚାଇନା ଉଭୟ ସମ୍ପର୍କ ବୃଦ୍ଧି କରିବାକୁ ଚାହାଁନ୍ତି। ଏଥିପାଇଁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବା ଏବଂ କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ କରିବାର ଯୋଜନା ରହିଛି। କୋଭିଡ ଯୋଗୁ ଏହି ଯାତ୍ରା ବନ୍ଦ ହୋଇଯାଇଥିଲା। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ କହିଛନ୍ତି, ଭାରତ-ଚାଇନା ସମ୍ପର୍କ ଧୀରେ ଧୀରେ ସଠିକ ଦିଗରେ ଅଗ୍ରସର ହେଉଛି।

