ସରକାରଙ୍କ ବଡ଼ ଘୋଷଣା: ସମସ୍ତଙ୍କୁ ମାଗଣାରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ,୨।୧: ଭାରତରେ କରୋନା ଟିକାକରଣ ନେଇ ପ୍ରସ୍ତୁତି ଜାରି ରହିଛି। ଶନିବାରଠାରୁ ଦେଶବ୍ୟାପୀ ଡ୍ରାଏ ରନ୍‌ ଆରମ୍ଭ ହୋଇଛି। ତେବେ ସରକାରଙ୍କ ପକ୍ଷରୁ କରୋନା ଟିକାଦାନ ନେଇ ବଡ଼ ଘୋଷଣା କରାଯାଇଛି। ଦେଶରେ ସମସ୍ତଙ୍କୁ ମାଗଣା କରୋନା ଟିକା ଦିଆଯିବ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ଦିଲ୍ଲୀରେ ଯେଉଁଭଳି ମାଗଣା ଟିକା ଦିଆଯିବ ସେହିଭଳି ଦେଶର ସମସ୍ତ ଅଞ୍ଚଳରେ ଏହା ଉପଲବ୍ଧ ହେବ। ଏକ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ଏଭଳି ଉତ୍ତର ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଲୀ ଯେଉଁମାନଙ୍କୁ ଟିକା ଦିଆଯିବ ତାହାର ତାଲିକା ପ୍ରସ୍ତୁତ କରାଯାଇଛି। ୫୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ସେଥିମଧ୍ୟରେ ଏକ କୋଟି ସ୍ବାସ୍ଥ୍ୟକର୍ମୀ ଏବଂ ୨ କୋଟି ଫ୍ରଣ୍ଟଲାଇନ୍‌ ଓ୍ବାର୍କର ରହିଛନ୍ତି। ଜୁଲାଇ ସୁଦ୍ଧା ଦେଶର ୨୭ କୋଟି ଲୋକଙ୍କର ଟିକାକରଣ କରାଯିବ ବୋଲି ସେ କହିଛନ୍ତି।

Share