Categories: ଫୁରସତ

ଅଧିକାରୀ କହିଲେ ପ୍ରଥମଥର ଧରିଛନ୍ତି ଏତେ ବଡ଼ ଆଉ ଓଜନିଆ ସାପ

ଆମେରିକାର ଫ୍ଲୋରିଡା ଠାରେ ୭୫ ପାଉଣ୍ଡ ଅର୍ଥାତ୍‌ ୩୦ କିଲୋ ଓଜନର ଏକ ସାପ ମିଳିଛି। ଏହି ସାପର ଲମ୍ବ ୧୦ ଫୁଟ। ସାପଟି ବୋଆ କନ୍‌ଷ୍ଟ୍ରିକ୍ଟର ଭାବରେ ଜଣାଶୁଣା। ଫ୍ଲୋରିଡା ମାଛ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଆୟୋଗ (FWC)ର ଅଧିକାରୀ ଏହି ସାପକୁ ବହୁତ କଷ୍ଟରେ ଧରିଥିଲେ। ଅଧିକାରୀ କହିଛନ୍ତି, ପ୍ରଥମ ଥର ପାଇଁ ସେ ଏତେ ବଡ଼ ଏବଂ ଓଜନିଆ ସାପକୁ କାବୁ କରିଥିଲେ।

ଜଣେ ଅଧିକାରୀ କହିଛନ୍ତି, ‘ମୁଁ ସାପର ମୁଣ୍ଡ ଧରି ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲି। ଏହା ବହୁତ କଷ୍ଟସାଧ୍ୟ କାର୍ଯ୍ୟ ଥିଲା। ତା’ପରେ ମୁଁ ସାପଟିକୁ ସେଠାରୁ ଟାଣି ଆଣିଲି ଏବଂ ତା’ ଶରୀର ଉପରେ କିଛି ନିୟନ୍ତ୍ରଣ ହାସଲ କଲି। ସେହି ସ୍ଥାନରେ ଉପସ୍ଥିତ ଅନ୍ୟମାନେ ତାଙ୍କୁ ଧରିବାରେ ସାହାଯ୍ୟ କରିଥିଲେ। ପରେ ସାପକୁ ଏକ ସ୍ବତନ୍ତ୍ର ସ୍ଥାନରେ ରଖାଯାଇଥିଲା।

ସେ ଏହା ମଧ୍ୟ କହିଛନ୍ତି, ଏହା ଏକ ବଡ଼ ସାପ ବୋଲି ସେ ଜାଣିଛନ୍ତି। ‘ଦକ୍ଷିଣ ଫ୍ଲୋରିଡ଼ାଠାରେ ମୁଁ ସାରା ଜୀବନ ସାପମାନଙ୍କ ସହ ରହୁଥିଲି। ମୁଁ ଯେତେବେଳେ ଛୋଟ ଥିଲି, ମୋ’ ପାଖରେ ବି ସାପ ଥିଲା। କିନ୍ତୁ କେବେ ଏତେବଡ଼ ସାପ ଧରି ନ ଥିଲି। ଏହା ନିଶ୍ଚିତ ଭାବରେ ଏକ ରୋମାଞ୍ଚକର ଅନୁଭୂତି ଥିଲା।

ବୋଆ କନଷ୍ଟ୍ରିକ୍ଟର ସାପ ବିଷାକ୍ତ ନୁହେଁ। ଯଦିଓ ସେମାନେ ନିଜକୁ ରକ୍ଷା କରିବା ପାଇଁ କୁକୁର ଏବଂ ବିଲେଇମାନଙ୍କୁ କାମୁଡ଼ି ପାରନ୍ତି, ତଥାପି ସେମାନେ ଚାହିଁଲେ ଲୋକଙ୍କ ଗୃହପାଳିତ ପଶୁମାନଙ୍କୁ ମାରିବା ଏବଂ ଖାଇବା ପାଇଁ ଶକ୍ତି ଅଛି। କୁହାଯାଏ,ଏହି ସାପମାନେ ୧୯୯୦ରୁ ଫ୍ଲୋରିଡାଠାରେ ରହିଆସୁଛନ୍ତି। ସେମାନେ କେବଳ ମିଆମି, ମିଆମି-ଡେଡ୍‌ କାଉଣ୍ଟିରେ ଥିବା ଚାଲର୍‌ସ ଡିରିଙ୍ଗ ଇଷ୍ଟେଟ ପାଖରେ ରହୁଛନ୍ତି।

Share