ଜିଦ୍‌ରେ ବିରୋଧୀ-ଶାସକ: ଲଗାତାର ୬ଷ୍ଠ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା, ଆରମ୍ଭରୁ ମୁଲତବୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଲଗାତାର ୬ଷ୍ଠ ଦିନ ପାଇଁ ବିଧାନସଭା ସ୍ବାଭାବିକ ହୋଇପାରିନାହିଁ। ଉଭୟ ଶାସକ-ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୧୨ଟା ଯାଏ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି। ଗୋଟିଏ ପଟେ ଧାନ କିଣା ଅବ୍ୟବସ୍ଥାକୁ ନେଇ ବିରୋଧୀ ଭାଜପା ଏବଂ କଂଗ୍ରେସ ସରକାରଙ୍କୁ ଆକ୍ରମଣ ଜାରି ରଖିଥିବା ବେଳେ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ଭାଜପା ବିଧାୟକ କ୍ଷମା ମାଗନ୍ତୁ ବୋଲି ଅଡ଼ି ବସିଛି ବିଜେଡି। ଏପରିସ୍ଥିତିରେ ଗୃହ ସ୍ବାଭାବିକ ସ୍ଥିତିକୁ ଫେରିପାରୁନାହିଁ। ତେବେ ଗୁରୁବାର ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତୀ ତଳେ କଂଗ୍ରେସ ବିଧାୟକମାନେ ଧାରଣାରେ ବସିଥିବା ଦେଖାଯାଇଛି। ମଣ୍ଡି ସମସ୍ୟାକୁ ଦୂର କରିବା ଓ ଗୃହରେ ଲାଗି ରହିଥିବା ଅଚଳାବସ୍ଥାକୁ ସେମାନେ ଏଭଳି ପ୍ରତିବାଦ କରି ଧାରଣା ଦେଇଥିବା ଜଣାପଡ଼ିଛି। ସେହିଭଳି ବିଜେଡିର ଦାବିକୁ କାଉଣ୍ଟର କରିବାକୁ ଭାଜପା ପକ୍ଷରୁ ହୁଇପ୍‌ ଜାରି କରାଯାଇଛି। ଭାଜପାର ସମସ୍ତ ବିଧାୟକ ଗୁରୁବାର ବିଧାନସଭାରେ ଉପସ୍ଥିତ ରହିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ବିଜେଡିର ବିଧାୟକ ମାନେ ଲୋକସେବା ଭବନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଗୃହ କିଭଳି ଭାବେ ସ୍ବାଭାବିକ ସ୍ଥିତିକୁ ଫେରିବ ସେ ନେଇ ଆଲୋଚନା କରିଥିବା ଜଣାପଡ଼ିଛି।