ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବାଇଡେନଙ୍କ ସମର୍ଥନ…

ଓ୍ବାଶିଂଟନ, ୨୨।୯ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସ୍ଥାୟୀ ସଦସ୍ୟ ହେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ, ଜାପାନ ଏବଂ ଜର୍ମାନୀକୁ ସମର୍ଥନ କରିଛନ୍ତି। ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ ଜଣଙ୍କ ବୁଧବାର କହିଛନ୍ତି ଯେ ଏହି ଦିଗରେ ଏପର୍ଯ୍ୟନ୍ତ ବହୁ କାମ କରାଯିବା ବାକି ରହିଛି। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଆମେ ଏହା ପୂର୍ବରୁ ଚିନ୍ତା କରିଥିଲୁ ଯେ ଭାରତ, ଜାପାନ ଏବଂ ଜର୍ମାନୀକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାଯିବା ଉଚିତ।

ଏହାପୂର୍ବରୁ ରାଷ୍ଟ୍ରପତି ବାଇଡେନ ମିଳିତ ଜାତିସଂଘର ସାଧାରଣ ସଭାର ଅଧିବେଶନକୁ ସମ୍ବୋଧିତ କରି ସୁରକ୍ଷା ପରିଷଦର ସଂସ୍କାରର ଆବଶ୍ୟକତା ସମ୍ପର୍କରେ ଦୋହରାଇଛନ୍ତି। ସେ କହିଛନ୍ତି ଯେ ସଂଗଠନରେ ଅଧିକ ସଦସ୍ୟ ଅନ୍ତର୍ଭୂକ୍ତ କରିବାର ସମୟ ଆସିଛି ଯାହା ଦ୍ୱାରା ଏହା ଆଜିର ଯୁଗର ଆବଶ୍ୟକତାକୁ ଭଲ ଭାବରେ ପୂରଣ କରିପାରିବ।

ସେ କହିଛନ୍ତି ଯେ ଆମେରିକା ସମେତ ସୁରକ୍ଷା ପରିଷଦର ସଦସ୍ୟମାନେ ମିଳିତ ଜାତିସଂଘର ଚାର୍ଟରକୁ ରକ୍ଷା କରିବା ଉଚିତ ଏବଂ ଭିଟୋରୁ ଦୂରେଇ ରହିବା ଉଚିତ। ଭିଟୋ କେବଳ ସ୍ବତନ୍ତ୍ର କିମ୍ବା ଅତ୍ୟଧିକ ଗୁରୁତର ପରିସ୍ଥିତିରେ କରାଯିବା ଉଚିତ। ଯାହାଦ୍ୱାରା ପରିଷଦର ବିଶ୍ୱାସନୀୟତା ଏବଂ ପ୍ରଭାବ ବଜାୟ ରହିବ।

ସେ କହିଛନ୍ତି ଯେ ସୁରକ୍ଷା ପରିଷଦର ଉଭୟ ସ୍ଥାୟୀ ଏବଂ ଅଣ-ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଆମେରିକା ଜିଦ ଧରିଛି। ଯେଉଁ ଦେଶଗୁଡ଼ିକର ସ୍ଥାୟୀ ସଦସ୍ୟତା ପାଇଁ ଚାହିଦା ଦୀର୍ଘ ଦିନ ଧରି ଆମ ଦ୍ୱାରା ସମର୍ଥିତ କରାଯାଉଛି ସେହି ଦେଶଗୁଡିକୁ ସୁରକ୍ଷା ପରିଷଦରେ ଅନ୍ତର୍ଭୁକ୍ତ କରିବା ଜରୁରୀ।

Share