ହ୍ବାଇଟ୍‌ ହାଉସ୍‌ରେ ବାହାହେବେ ବାଇଡେନ୍‌ଙ୍କ ନାତୁଣୀ

ଓ୍ବାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶାସନକାଳ ମଧ୍ୟରେ ହ୍ବାଇଟ୍‌ ହାଉସ୍‌ରେ ପ୍ରଥମ ବାହାଘର ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତିଙ୍କ ନାତୁଣୀ ନାଓମି ବାଇଡେନ୍‌ ଆସନ୍ତା ଶନିବାର ପ୍ରେମିକ ନିଲ୍‌ଙ୍କ ହାତ ଧରିବାକୁ ଯାଉଛନ୍ତି। ହ୍ବାଇଟ୍‌ ହାଉସ୍‌ର ସାଉଥ୍‌ ଲନ୍‌ରେ ବିବାହ ସମ୍ପନ୍ନ ହେବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି। ହ୍ବାଇଟ୍‌ ହାଉସ୍‌ ଇତିହାସରେ ଏହା ୧୯ତମ ବାହାଘର। କୌଣସି ରାଷ୍ଟ୍ରପତିଙ୍କ ନାତୁଣୀ ବାହାହେବା ହେଉଛି ପ୍ରଥମ ଘଟଣା। ୨୮ ବର୍ଷୀୟା ନାଓମି ପେସାରେ ଜଣେ ଆଇନଜୀବୀ। ତାଙ୍କ ପ୍ରେମିକ ପିଟର ନିଲ୍‌ (୨୫) ନିକଟରେ ପେନ୍‌ସିଲଭାନିଆ ଲ’ ୟୁନିଭର୍ସିଟିରୁ ସ୍ନତକତ୍ୱ ହାସଲ କରିଛନ୍ତି। ୪ ବର୍ଷ ପୂର୍ବ ନାଓମି ଓ ନିଲ୍‌ ଜଣେ କମନ୍‌ଫ୍ରେଣ୍ଡଙ୍କ ଘରେ ଅନୁଷ୍ଠିତ ପାର୍ଟିରେ ପରସ୍ପରକୁ ଭେଟିଥିଲେ। ଦୁହେଁ ପ୍ରେମ ସମ୍ପର୍କରେ ଆସିବା ପରେ ଓ୍ବାଶିଂଟନ୍‌ରେ ଏକାଠି ରହୁଛନ୍ତି। ନାତୁଣୀଙ୍କ ବାହାଘର ନେଇ ଫାଷ୍ଟଲେଡି ଜିଲ୍‌ ବାଇଡେନ୍‌ ଉତ୍ସାହିତ ଥିବା କହିଛନ୍ତି।
ହ୍ବାଇଟ୍‌ ହାଉସ୍‌ରେ ହୋଇସାରିଥିବା ୧୮ ବାହାଘର ଭିତରୁ ୯ଟି ବାହାଘର ରାଷ୍ଟ୍ରପତିଙ୍କ ଝିଅମାନଙ୍କର। ୧୯୭୧ରେ ରିଚାର୍ଡ ନିକ୍ସନଙ୍କ ଝିଅଙ୍କ ବାହାଘର ହ୍ବାଇଟ୍‌ ହାଉସ୍‌ରେ କରାଯାଇଥିଲା। ଏହା ପୂର୍ବରୁ ରାଷ୍ଟ୍ରପତି ଲିଣ୍ଡୋନ୍‌ ବି. ଜନ୍‌ସନ୍‌ଙ୍କ ଝିଅ ୧୯୬୭ରେ ନିଜ ଜୀବନସାଥୀଙ୍କ ହାତ ଧରିଥିଲେ। ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଗ୍ରୋଭର କ୍ଲେଭ୍‌ଲାଣ୍ଡ ନିଜେ ହ୍ବାଇଟ୍‌ ହାଉସ୍‌ରେ ବିବାହ କରିଥିଲେ।

Share